ଅନୁଗୁଳ: ଆଜି ଅପରାହ୍ନରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଅନୁଗୁଳରେ ଗଣେଶ ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଉପସ୍ଥିତ ସମସ୍ତ ପୂଜା କମିଟିର ସଭାପତି, ସମ୍ପାଦକ ଓ ସଦସ୍ୟଙ୍କୁ ସ୍ବାଗତ ଜଣାଇବା ସହ ପୂର୍ବ ବର୍ଷର ବିବରଣୀ ପାଠ କରିଥିଲେ।
ଚଳିତ ମାସ ୧୯ ତାରିଖରୁ ପୂଜା ଆରମ୍ଭ ହୋଇ ୨୭ ତାରିଖରେ ବିସର୍ଜନ ଉତ୍ସବ ପାଳନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ପୂର୍ବ ବର୍ଷ ୧୪ଟି ମେଢ଼ ହୋଇଥିବା ବେଳେ ଏ ବର୍ଷ ଏହା ବଢ଼ି ୨୨ରେ ପହଞ୍ଚିଛି।
ଚଳିତବର୍ଷ ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ପ୍ରତ୍ୟେକ ପୂଜାମଣ୍ଡପରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ନିମନ୍ତେ ୧୦ ଜଣ ଲେଖାଏଁ ସ୍ବେଚ୍ଛାସେବୀ ନିୟୋଜିତ ହେବେ। ଭସାଣି ସମ୍ପର୍କରେ ସେଣ୍ଟ୍ରାଲ ପୂଜା କମିଟି ଥାନା ଆଇଆଇସିଙ୍କ ସହିତ ପୁନର୍ବାର ଆଲୋଚନା କରିବାକୁ କୁହାଯାଇଛି।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅନୁଗୁଳ ଉପଜିଲ୍ଲାପାଳ ବରତ୍ୟେନ୍ଦୁ ମହାନ୍ତି, ସବଡିଭିଜନାଲ ପୋଲିସ ଅଫିସର ରମାକାନ୍ତ ମହାଳିକ, ଡେପୁଟି କଲେକ୍ଟର ମଧୁସ୍ମିତା ବିଶି ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।