ମୁଖ୍ୟ ଖବର

ବର୍ଷା ପବନରେ ଭାଙ୍ଗିଲା ଗଣେଶ ପୂଜା ଟେଣ୍ଟ, ଚାପି ହୋଇ ୪ ଗୁରୁତର

By Angul TV Bureau

September 15, 2024

ପାଳଲହଡ଼ା: ଶନିବାର ସନ୍ଧ୍ୟାରେ ପାଳଲହଡ଼ା ଅଞ୍ଚଳରେ ପ୍ରବଳ ଝଡ଼ ବର୍ଷା ହୋଇଛି। ବର୍ଷା ପବନରେ କେନ୍ଦ୍ରୀୟ ଗଣେଶ ପୂଜା କମିଟି ପକ୍ଷରୁ ପାଳଲହଡ଼ା ଷ୍ଟାଡିୟମରେ ଭସାଣି ଉତ୍ସବ ପାଇଁ ଲଗାଯାଇଥିବା ଟେଣ୍ଟଟି ଭାଙ୍ଗିଯାଇଥିଲା। ଫଳରେ ଟେଣ୍ଟ ତଳେ ଚାପି ହୋଇ ୪ ଜଣ ସଦସ୍ୟ ଗୁରୁତର ହୋଇଛନ୍ତି।

ସୂଚନା ଅନୁସାରେ, ଆସନ୍ତା ସୋମବାର କେନ୍ଦ୍ରୀୟ ଗଣେଶ ପୂଜା କମିଟି ପକ୍ଷରୁ ପାଳଲହଡ଼ା ଷ୍ଟାଡିୟମ ପରିସରରେ ମେଳଣ ଉତ୍ସବ ପାଇଁ ପ୍ରସ୍ତୁତି ଚାଲିଥିଲା। ଉତ୍ସବ ପାଇଁ ପ୍ରସ୍ତୁତ କରାଯାଇଥିବା ଟେଣ୍ଟ ସନ୍ଧ୍ୟାରେ ବର୍ଷା ପ୍ରଭାବରେ ଭାଙ୍ଗି ଯାଇଥିଲା । ଫଳରେ ଟେଣ୍ଟ ତଳେ ଥିବା କମିଟି ସଦସ୍ୟ ଓ ଟେଣ୍ଟ କର୍ମଚାରୀ ଚାପି ହୋଇଯାଇଥିଲେ । ସେମାନଙ୍କୁ ତୁରନ୍ତ ଉଦ୍ଧାର କରି ପାଳଲହଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ଆଡଭାନୀ ସାହୁ, ରମେଶ ଚନ୍ଦ୍ର ସାମଲ ଏବଂ ରମେଶ ତୁବିଡଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଯାତ୍ରାକର ନାୟକଙ୍କ ଚିକିତ୍ସା ଜାରି ରହିଛି।

ଖବର ପାଇ ବିଧାୟକ ଅଶୋକ ମହାନ୍ତି ଡାକ୍ତରଖାନାରେ ପହଞ୍ଚି ଆହତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି।