ଅନୁଗୁଳ: ଅନୁଗୁଳ ଜିଲ୍ଲା କିଆକଟା ଥାନା ଅନ୍ତର୍ଗତ ଶଂଖାମାଳ ନିକଟରେ ବୁଧବାର ସକାଳେ ସଡ଼କ ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନେ ହେଲେ କିଆକଟା ଥାନା ଅନ୍ତର୍ଗତ ଶଂଖାମାଳ ଗ୍ରାମର ପପୁନ ସାହୁ ଓ ଅନ୍ତର୍ଯ୍ୟାମୀ ନାୟକ।ଆହତ ଦ୍ବୟଙ୍କୁ ପ୍ରଥମେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ମୁତାବକ, ଏକ ସ୍ୱିଫ୍ଟ କାରରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସନ୍ଦେହରେ ପୋଲିସ ପିଛା କରିଥିଲା। କାରଟି ଶଂଖାମାଳ ନିକଟରେ ଦୁର୍ଘଟଣା ଘଟାଇ ୨ ଜଣଙ୍କୁ ଗୁରୁତର କରିଥିଲା। ପ୍ରତିବାଦରେ ଉତ୍ତ୍ୟକ୍ତ ଜନତା ୪ ଘଣ୍ଟା ଧରି ଶଂଖାମାଳ ଠାରେ ରାସ୍ତା ରୋକ କରିଥିଲେ। କିଆକଟା ପୋଲିସ କାରରେ ଯାତ୍ରା କରୁଥିବା ଜଣେ ବ୍ୟକ୍ତିଙ୍କୁ ଏବଂ ବୌଦ୍ଧ ପୋଲିସକୁ କିଆକଟା ଥାନାରେ ରଖି ତଦନ୍ତ ଜାରି ରଖିଛି। ସନ୍ଧ୍ୟାରେ ଲୋକେ କିଆକଟା ଥାନା ଘେରାଉ କରିଥିଲେ। ଘଟଣାସ୍ଥଳରେ ଆଠମଲ୍ଲିକ ଏସଡିପିଓ ଓ ବୌଦ୍ଧ ଏସଡିପିଓ ପହଞ୍ଚି ତଦନ୍ତ ଚଳାଇଛନ୍ତି।