ମୁଖ୍ୟ ଖବର

ଗଣ୍ଠିଗାଡ଼ିଆରେ ୫ ଘଣ୍ଟା ଧରି ତାଣ୍ଡବ ରଚିଲା ଦନ୍ତା, ଖବର ଦେବା ପରେ ବି ଆସିଲେନି ବନ କର୍ମଚାରୀ

By Angul TV Bureau

March 06, 2023

ଅନୁଗୁଳ: ସ୍ଥାନୀୟ ବଅଁରପାଳ ତହସିଲ ଅନ୍ତର୍ଗତ ନୂଆହତା ପଞ୍ଚାୟତର ଗଣ୍ଠିଗାଡ଼ିଆ ଗାଁରେ ପଶି ୫ ଘଣ୍ଟା ଉତ୍ପାତ ହୋଇଛି ହାତୀ। ହାତୀ ତାଣ୍ଡବରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଗାଁର ଅନିଲ ବିଶ୍ଵାଳ, ସୁମନ୍ତ ସାହୁ, ସନ୍ତୋଷ ସାହୁ, ସଞ୍ଜୟ ନାୟକ, ସୁଜନ ବିଶ୍ଵାଳ ପ୍ରମୁଖ କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି।

ଗ୍ରାମବାସୀଙ୍କ ସୂଚନା ମୁତାବକ, ରବିବାର ରାତି ପ୍ରାୟ ୯ ଟାରେ ଏକ ବିଶାଳ ଦନ୍ତା ଜଙ୍ଗଲ ମଧ୍ୟରୁ ଆସି ଘର ଭାଙ୍ଗିବା ଆରମ୍ଭ କରିଥିଲା। ସେହି ସମୟରେ ଗାଁର ଦୁଇ ଜଣ ବ୍ୟକ୍ତି ହାତୀ ସହ ମୁହାଁମୁହିଁ ହୋଇଥିଲେ। ସୌଭାଗ୍ୟବଶତଃ ସେମାନେ ବଞ୍ଚିଯାଇଛନ୍ତି।

ଗ୍ରାମବାସୀ ବନବିଭାଗକୁ ଖବର ଦେଇଥିଲେ ମଧ୍ୟ ବିଭାଗ ପକ୍ଷରୁ କେହି ପହଞ୍ଚି ନଥିଲେ। ହାତୀଟି ଗାଁରେ ପ୍ରାୟ ୫ ଘଣ୍ଟା ବଗିଚା ବାଡ଼ ଭାଙ୍ଗିବା ସହ ରାସ୍ତାରେ ଉତ୍ପାତ ଖେଳାଇ ଥିଲା। ସୋମବାର ସକାଳେ ବନବିଭାଗ ଆସି ତଦନ୍ତ କରିବା ବେଳେ ଗ୍ରାମବାସୀଙ୍କୁ ହାତୀ ବିଷୟରେ ପଚାରି ବୁଝିଛନ୍ତି। ତେବେ ବନ ବିଭାଗର ଏଭଳି ମନ ମୁଖୀ କାମକୁ ଗାଁ ଲୋକେ ତୀବ୍ର ବିରୋଧ କରିଛନ୍ତି।