ମୁଖ୍ୟ ଖବର

ଦରମା ପାଇଁ ସ୍କୁଲ ଗେଟରେ ତାଲା ପକାଇଲେ ମାଳି, ଟଙ୍କା ପାଇବା ପରେ ଘଣ୍ଟାଏ ପରେ କ୍ଲାସକୁ ଗଲେ ଛାତ୍ରଛାତ୍ରୀ

By Angul TV Bureau

April 10, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଉଳିଗଡ଼ ପଞ୍ଚାୟତର ଅରାହାଟ ଶିକ ସାହିରେ ଥିବା ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟରେ ଜଣେ ବ୍ୟକ୍ତି ସ୍କୁଲ ଗେଟରେ ତାଲା ପକାଇ ଧାରଣା ଦେଇଛନ୍ତି। ଫଳରେ ପିଲାମାନେ ଘଣ୍ଟା ଘଣ୍ଟା ଧରି ବାହାରେ ଠିଆ ହୋଇଥିଲେ। ଧାରଣାରେ ବସିଥିବା ବ୍ୟକ୍ତି ଅରାହାଟ ଗାଁର ନେତ୍ରମଣି ସାମଲ ବୋଲି ଜଣାଯାଇଛି।

ନେତ୍ରମଣିଙ୍କ ସୂଚନା ଅନୁଯାୟୀ, ପ୍ରାୟ ୭ ମାସ ପୂର୍ବରୁ ପ୍ରଧାନଶିକ୍ଷକ ତାଙ୍କୁ ସ୍କୁଲରେ ମାଳି ଭାବେ ନିୟୋଜିତ କରିଥିଲେ। ଚାକିରି କରାଇଦେବ କହି ତାଙ୍କ ଠାରୁ ସମସ୍ତ ପ୍ରମାଣ ପତ୍ର ବି ନେଇଥିଲେ। କିନ୍ତୁ ୨ ମାସ କାମ କରିବା ପରେ ସେ ତାଙ୍କ କାମରୁ ବାହାର କରି ଅନ୍ୟ ଜଣଙ୍କୁ ନିୟୋଜିତ କରିଥିଲେ। ସେଇ ଦିନଠାରୁ ପ୍ରଧାନଶିକ୍ଷକ ଦରମା ଟଙ୍କା ଦେବାରେ ବିଳମ୍ବ କରି ଚାଲିଛନ୍ତି।

ଏଣୁ ନିରୁପାୟ ହୋଇ ନେତ୍ରମଣି ସ୍କୁଲ ଗେଟରେ ତାଲା ପକାଇ ଧାରଣା ଦେଇଥିଲେ। ପ୍ରଧାନ ଶିକ୍ଷକ ସ୍କୁଲକୁ ଘଣ୍ଟାଏ ପରେ ଆସି ପହଞ୍ଚିବା ପରେ ନେତ୍ରମଣିଙ୍କୁ ଦରମା ଦେଇଥିଲେ। ତା’ ପରେ ସେ ଗେଟ ଖୋଲିଥିଲେ ଓ ପାଠପଢ଼ା ସ୍ୱାଭାବିକ ହୋଇଥିଲା।

ପ୍ରକାଶ ଯେ ସ୍କୁଲ କାର୍ଯ୍ୟ ଠିକ୍ ଭାବେ ହେଉ ନଥିବାରୁ ସ୍କୁଲ ସଭାପତି ନିଜ ପଦରୁ କିଛି ଦିନ ପୂର୍ବରୁ ଇସ୍ତଫା ଦେଇଥିଲେ।