ମୁଖ୍ୟ ଖବର

କଙ୍କଡାହାଡରେ ‘ଗରିବ କଲ୍ୟାଣ ସମାବେଶ’ରେ ଗର୍ଜିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: କହିଲେ-ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁ ଲୋକେ କେନ୍ଦ୍ର ଯୋଜନାର ଲାଭ ଉଠାଇପାରୁନାହାନ୍ତି

By Angul TV Bureau

June 08, 2023

କଙ୍କଡାହାଡ଼/ଢେଙ୍କାନାଳ: ମୋଦି ସରକାରର ବିଗତ ୯ ବର୍ଷରେ ଓଡ଼ିଶାରେ ଅନେକ ଜନକଲ୍ୟାଣକାରୀ କାମ କରିଛନ୍ତି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଓଡ଼ିଶାର ୩ କୋଟି ୨୫ ଲକ୍ଷ ହିତାଧିକାରୀ ଏବଂ ଢେଙ୍କାନାଳର ପ୍ରାୟ ୧୦ ଲକ୍ଷ ହିତାଧିକାରୀଙ୍କ ପାଇଁ ବ୍ୟକ୍ତି ପିଛା ମାସିକ ଦିଆଯାଉଥିବା ଚାଉଳ ପାଇଁ ମୋଦି ସରକାର ୨୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହି ହିସାବରେ ମୋଦି ସରକାର କେବଳ ଢେଙ୍କାନାଳର ହିତାଧିକାରୀଙ୍କ ପାଇଁ ମାସିକ ୨୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ଗୁରୁବାର ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀର କଙ୍କଡାହାଡରେ ଆୟୋଜିତ ‘ଗରିବ କଲ୍ୟାଣ ସମାବେଶ’ରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମୋଦି ସରକାରଙ୍କ ୯ ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ ପୂର୍ତ୍ତି ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦି ସରକାରଙ୍କ ଶାସନର ୯ ବର୍ଷ ପୂରଣ ହୋଇଛି। ବିଗତ ୯ ବର୍ଷରେ ଢେଙ୍କାନାଳ ପାଇଁ ହୋଇଥିବା କଲ୍ୟାଣକାରୀ ଯୋଜନାର ହିସାବ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଯୋଜନାରେ ପ୍ରାୟ ୮୦ ହଜାର ଏବଂ ପିଏମ ଆବାସ ଯୋଜନାରେ ସହରରେ ପ୍ରାୟ ୧୦ ହଜାର ଘର ମୋଦି ଦେଇଛନ୍ତି। କଙ୍କଡାହାଡ଼ରେ ୧୦ ହଜାର ୭୧୨ ଘର ନିର୍ମାଣ ପାଇଁ ଲକ୍ଷ୍ୟ ରହିଥିବା ବେଳେ ମୋଦି ସରକାର ଏଥିପାଇଁ ୧୨୯ କୋଟି ଟଙ୍କା ଦେଇଛନ୍ତି।

ସେହିପରି ଢେଙ୍କାନାଳ ଜିଲ୍ଲାରେ ପ୍ରାୟ ୨ ଲକ୍ଷ ହିତାଧିକାରୀଙ୍କ ଘରେ ଉଜ୍ଜଳା ଯୋଜନାରେ ମାଗଣା ରନ୍ଧନ ଗ୍ୟାସ ଦିଆଯାଇଛି। ଏଥିପାଇଁ ମୋଦି ସରକାର ପ୍ରାୟ ୩୨ କୋଟି ପ୍ରଦାନ କରିଛନ୍ତି। ଜିଲ୍ଲାକୁ ସୌଭାଗ୍ୟ ଯୋଜନାରେ ଶତପ୍ରତିଶତ ବିଦ୍ୟୁତିକରଣ ହୋଇଛି। ଢେଙ୍କାନାଳର ୭ ଲକ୍ଷ ୬ ହଜାର ୫୭୬ ଜଣ ହିତାଧିକାରୀଙ୍କୁ ମୁଦ୍ରା ଯୋଜନାରେ ୨୭୭୯ କୋଟି ଟଙ୍କାର ଋଣ ଦେବା ପାଇଁ ଅନୁମୋଦନ ଦିଆଯାଇଛି । ମାତ୍ର ରାଜ୍ୟ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବାରୁ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ମୋଦି ସରକାରଙ୍କ କଲ୍ୟାଣକାରୀ ଯୋଜନା ପାରୁନାହିଁ।

ପିଏମ ମୋଦି ପାଇପ ଯୋଗେ ଢେଙ୍କାନାଳରେ ୨ ଲକ୍ଷ ୨ ହଜାର ୫୨୯ ହିତାଧିକାରୀଙ୍କ ଘରକୁ ପାଇପ ଯୋଗେ ସ୍ୱଚ୍ଛ ପାନୀୟ ଜଳ ପହଞ୍ଚାଇବାର ବ୍ୟବସ୍ଥା କରିଥିବା ବେଳେ ରାଜ୍ୟ ସରକାର ଏହାକୁ କ୍ରିୟାନ୍ୱୟନ କରିବାରେ ବିଫଳ ହେଉଛନ୍ତି।

ସେ କହିଛନ୍ତି ଯେ ଢେଙ୍କାନାଳର ମାଟି ବୀର ସଂଗ୍ରାମୀଙ୍କ ମାଟି। ବୀର ସଂଗ୍ରାମୀ ସାରଙ୍ଗଧର ଦାସ, ବୈଷ୍ଣବ ଚରଣ ପଟ୍ଟନାୟକ, ମହେଶ୍ଚନ୍ଦ୍ର ସୁବାହୁ ସିଂହ ଓ ସହିଦ ବାଜି ରାଉତଙ୍କ ପୁଣ୍ୟ ଜନ୍ମଭୂମି। ଏହି ମାଟି କେବେ ଇଂରେଜଙ୍କୁ ଭ୍ରୁକ୍ଷେପ କରିନଥିଲା ବୋଲି କେନ୍ଦ୍ରମନ୍ତ୍ରୀ ଏ ଅବସରରେ କହିଛନ୍ତି।