ମୁଖ୍ୟ ଖବର

କାହା ହାତକୁ ଯିବ ଢେଙ୍କାନାଳ ଲୋକସଭା ଆସନ ? କଂଗ୍ରେସ ଓ ବିଜେପିର ଦୁଇ ପୁରୁଖା ନେତାଙ୍କ ସହ ମୁହାଁମୁହିଁ ହେବେ ବିଜେଡିର ନବାଗତ

By Angul TV Bureau

April 15, 2024

ଅନୁଗୁଳ: ଢେଙ୍କାନାଳ ଲୋକସଭା ଆସନରେ ଏଥର ନୂଆ ମୁହଁ ସହ ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ଓ କଂଗ୍ରେସ। ଅନ୍ୟପଟେ ବିଜେପି ଗତ ୩ ଥରର ପ୍ରାର୍ଥୀଙ୍କୁ ପୁଣି ଭରସା କରିଛି।

୧୯୯୯ ନିର୍ବାଚନରେ ଏହି ଆସନରୁ କଂଗ୍ରେସର କେ.ପି. ସିଂହଦେଓ ବିଜୟୀ ହୋଇଥିଲେ। ହେଲେ ୨୦୦୪ରେ ବିଜେଡି ପୂରା ଗଡ଼କୁ ନିଜ ଅକ୍ତିଆରକୁ ଆଣିଥିଲା। ସେବେଠାରୁ ଆଜି ଯାଏଁ ଏହି ଆସନ ବିଜେଡି କବ୍ଜାରେ ରହିଛି। ଦିନେ କଂଗ୍ରେସର ଦୁର୍ଗ ଥିବା ଏହି ଆସନକୁ ପୁଣି ହାତକୁ ନେବାକୁ ଏଥର ମହିଳା କାର୍ଡ ଖେଳିଛି ଦଳ। ପୂର୍ବତନ ରାଜ୍ୟ କଂଗ୍ରେସ ସଭାନେତ୍ରୀ ସସ୍ମିତା ବେହେରାଙ୍କୁ ପ୍ରାର୍ଥୀ କରାଯାଇଛି। ସେ ଅନୁଗୁଳ ଜିଲ୍ଲା ପରିଷଦ ସଭାନେତ୍ରୀ ରହିବା ସହ ତାଳଚେରରୁ ବିଧାୟକ ଭାବେ ଲଢ଼ିଥିଲେ। ତାଙ୍କ ବାପା ଭଜମନ ବେହେରା ଢେଙ୍କାନାଳରୁ ସାଂସଦ ଭାବେ ଜିତି କେନ୍ଦ୍ରମନ୍ତ୍ରୀ ହୋଇଥିଲେ। କିନ୍ତୁ କଂଗ୍ରେସର ଭୋଟହାର କ୍ରମାଗତ ଭାବେ ଖସୁଥିବାରୁ ସସ୍ମିତାଙ୍କୁ ଏବେ କଠିନ ପରିଶ୍ରମ କରିବାକୁ ହେବ ବୋଲି ରାଜନୈତିକ ସମୀକ୍ଷକ ମତ ରଖନ୍ତି।

ଅନ୍ୟ ପଟେ ବିଜେଡି ନିଜ ଆସନକୁ ସୁରକ୍ଷିତ ରଖିବା ପାଇଁ ଏଥର ନୂଆମୁହଁ ସହ ନିର୍ବାଚନ ମଇଦାନକୁ ଓହ୍ଲାଇଛି। ଗତ ନିର୍ବାଚନରେ ମାତ୍ର ୩୫ହଜାର ଭୋଟ ବ୍ୟବଧାନରେ ଜିତିଥିବା ବିଜେଡି ମହେଶ ସାହୁଙ୍କ ଟିକେଟ କାଟି ଯୁବ ଡାକ୍ତର ଅବିନାଶ ସାମଲଙ୍କୁ ପ୍ରାର୍ଥୀ କରିଛି। ସେ ରାଜନୀତିରେ ନୂଆ ହେଲେ ମଧ୍ୟ ରାଜନୈତିକ ପରିବାରରୁ ଆସିଛନ୍ତି। ଢେଙ୍କାନାଳ ସଂସଦୀୟ କ୍ଷେତ୍ର ଅଧୀନରେ ଥିବା ସମସ୍ତ ୭ଟି ଯାକ ବିଧାନସଭା ବିଜେଡି ପାଖରେ ରହିଥିବାରୁ ଏହା ତାଙ୍କୁ ସୁବିଧା କରିବ ବୋଲି କୁହାଯାଉଛି।

ଅପରପକ୍ଷେ ଢେଙ୍କାନାଳ ଆସନକୁ ପ୍ରଥମ ଥର ପାଇଁ ହାତେଇବା ପାଇଁ ବିଜେପି ପୁଣି ପୁରୁଣା ନେତାଙ୍କୁ ଭରସା କରିଛି। ବିଜେଡି-ବିଜେପି ମେଣ୍ଟ ଭାଙ୍ଗିବା ପରେ ୨୦୦୯ରୁ ଏଠାରେ ଲଗାତାର ପ୍ରାର୍ଥୀ ହୋଇ ଆସୁଥିବା ରୁଦ୍ର ନାରାୟଣ ପାଣି ପ୍ରଥମ ବିଜୟ ଅପେକ୍ଷାରେ ନିର୍ବାଚନକୁ ଓହ୍ଲାଇଛନ୍ତି। ଏପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଆସନକୁ ଗୁରୁତ୍ବ ଦେଇ ଦୁଇ ବର୍ଷ ହେଲା ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଛନ୍ତି।