ମୁଖ୍ୟ ଖବର

ନିର୍ବାଚନ ଆୟୋଗଙ୍କ କଟକଣା: ଏପ୍ରିଲ ୧୯ରୁ ଜୁନ୍ ୧ ଯାଏଁ ଏକଜିଟ୍ ପୋଲ ପ୍ରସାରଣ ଉପରେ ରୋକ୍

By Angul TV Bureau

March 30, 2024

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ଏକଜିଟ ପୋଲ ଉପରେ ନିର୍ବାଚନ ଆୟୋଗଙ୍କ କଟକଣା। ଆସନ୍ତା ଏପ୍ରିଲ ୧୯ ତାରିଖରୁ ଏହି କଟକଣା ଲାଗୁ ହେବ। ଏକଜିଟ୍ ପୋଲ ଆୟୋଜନ, ପ୍ରକାଶନ ଓ ପ୍ରସାରଣ ଉପରେ ରୋକ ଲଗାଇଛନ୍ତି ଇସିଆଇ। ଏନେଇ ଶୁକ୍ରବାର ଏକ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି ନିର୍ବାଚନ କମିଶନ।

ବିଜ୍ଞପ୍ତି ମୁତାବକ, ଆସନ୍ତା ଏପ୍ରିଲ ୧୯ ତାରିଖ ସକାଳ ୭ ଟାରୁ ଜୁନ୍ ୧ ତାରିଖ ସନ୍ଧ୍ୟା ୬ ଟା ୩୦ ପର୍ଯ୍ୟନ୍ତ ଏକଜିଟ୍ ପୋଲ ଉପରେ କଟକଣା ଲଗାଯାଇଛି । ଲୋକ ପ୍ରତିନିଧି ଆଇନ ଅନୁସାରେ, ମତଦାନ ଶେଷ ହେବାର ୪୮ ଘଣ୍ଟା ପୂର୍ବରୁ ଜନମତ ସର୍ବେକ୍ଷଣ ଫଳାଫଳ ଓ ଭୋଟ୍ ସର୍ଭେ ରିପୋର୍ଟ ଭଳି ନିର୍ବାଚନ ସହିତ ଜଡିତ କୌଣସି ପ୍ରକାର ବିଷୟବସ୍ତୁ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରସାରଣ କରାଯାଇପାରିବ ନାହିଁ । ସେହିପରି ଏହି କଟକଣା ସମସ୍ତ ପ୍ରିଣ୍ଟ ମିଡିଆ ଏବଂ ଅନ୍ୟାନ୍ୟ ମିଡିଆ ଉପରେ ମଧ୍ୟ ଲାଗୁ ହେବ। ପୁରା ଦେଶରେ ଲୋକସଭା ନିର୍ବାଚନ ବ୍ୟତୀତ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଓଡ଼ିଶା ଓ ସିକ୍କିମରେ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ମତଦାନ ହେବ। ସେହି ସମୟ ମଧ୍ୟରେ ୧୨ଟି ରାଜ୍ୟରେ ୨୫ଟି ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ।

ସୂଚନାଯୋଗ୍ୟ, ୪ଟି ରାଜ୍ୟର ବିଧାନସଭା, ଲୋକସଭା ନିର୍ବାଚନ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ଏପ୍ରିଲ ୧୯ରେ ଥିବା ବେଳେ ସପ୍ତମ ପର୍ଯ୍ୟାୟ ଜୁନ ୧ରେ ଅନୁଷ୍ଠିତ ହେବ। ଏଥିସହ ଜୁନ୍ ୪ରେ ଫଳାଫଳ ପ୍ରକାଶ ପାଇବ।