ମୁଖ୍ୟ ଖବର

ରାଜ୍ୟ ରାଜନୀତି ସରଗରମ: ଚିନ୍ତା ବଢ଼ାଇଲେଣି ଏକାଧିକ ଆଶାୟୀ, ଅନୁଗୁଳରେ ବି ଅବସ୍ଥା ସମାନ

By Angul TV Bureau

April 08, 2024

ଭୁବନେଶ୍ବର/ ଅନୁଗୁଳ: ନିର୍ବାଚନ ତାରିଖ ଘୋଷଣା ହେବା ଦିନ ଠାରୁ ଓଡ଼ିଶା ରାଜନୀତି ସରଗରମ ହୋଇଛି। ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ ବୋଲି ଆଗରୁ ଆଶା କରାଯାଉଥିଲେ ମଧ୍ୟ ଏବେ କେବଳ ମଇଦାନରେ ବିଜେଡି ଓ ବିଜେପି ଅଛନ୍ତି। କଂଗ୍ରେସର ଅବସ୍ଥା ଦେଖି ଦଳର ନେତା ମାନେ ଅନ୍ୟ ଦଳକୁ ଡେଉଁଥିବା ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ବିଜେଡି ଓ ବିଜେପିର ଅବସ୍ଥା ବି ଏତେଟା ଭଲ ନାହିଁ। କେତେକ ନିର୍ବାଚନ ମଣ୍ଡଳୀରେ ଅନ୍ତର୍ଦ୍ବନ୍ଦ୍ବ ଯୋଗୁ ବିଜେଡି କାହାକୁ ଟିକେଟ ଦେବ ତାହା ଜାଣି ପାରୁ ନାହିଁ। ଅନ୍ୟପଟେ ଦଳ ପରିବର୍ତ୍ତନ କରୁଥିବା ନେତାଙ୍କୁ ବି ଥଇଥାନ କରିବାକୁ ଦଳ ବ୍ୟାକୁଳ ଥିବାରୁ ପୁରୁଣା ନେତାଙ୍କର ବି ଟିକେଟ କଟୁଥିବା ଦେଖିବାକୁ ମିଳୁଛି। ଏବେ ଅନୁଗୁଳରେ ବି ରାଜନୀତି ହଟଚମଟ ଦେଖା ଦେଇଛି।

ଅନୁଗୁଳ ଜିଲ୍ଲା ପାଳଲହଡ଼ା ଆସନରୁ ଅବନୀକାନ୍ତ ସାହୁ ବିଜେଡି ଟିକେଟ ଆଶାୟୀ ଥିଲେ। ବିଧାୟକ ମୁକେଶ କୁମାର ପାଲଙ୍କ ବିରୋଧରେ ସମାନ୍ତରାଳ ସଂଗଠନ ଚଲାଇଥିଲେ। ପାଳଲହଡ଼ା ବ୍ଲକ ଉପାଧ୍ୟକ୍ଷ ଜିତାଇଥିଲେ। ସେ ଟିକେଟ୍ ପାଇନାହାନ୍ତି। କିନ୍ତୁ ଏଯାଏ ଦଳ ଛାଡ଼ି ନଥିବାରୁ ତାଙ୍କ ଭୂମିକା ଏବେ ନିର୍ବାଚନରେ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି। ଅନୁଗୁଳରେ ଜିଲ୍ଲା ଯୁବ ବିଜେଡି ସଭାପତି ଦିନେଶ ପ୍ରଧାନ ଟିକେଟ୍ ଆଶାୟୀ ଅଛନ୍ତି। ବିଧାୟକ ରଜନୀକାନ୍ତ ସିଂହ ଉପବାଚସ୍ପତି ପଦରେ ଦୀର୍ଘ ସାଢ଼େ ୪ ବର୍ଷ ରହିବାରୁ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଦିନେଶଙ୍କ ଦବଦବା ବଢ଼ିଥିଲା। ଦଳ ଯଦି ତାଙ୍କୁ ଟିକେଟ ନ ଦିଏ, ତାଙ୍କ ଭୂମିକା ବଦଳିପାରେ। ଏପରିକି ଦିନେଶ ଯଦି ଟିକେଟ ପାଇବେ ତେବେ ପୁରୁଖା ନେତା ରଜନୀକାନ୍ତ ସିଂହ ତାଙ୍କ ବିଜୟ ସହଜ କରିବା ସ୍ଥିତିରେ ନାହାନ୍ତି। ଏଣୁ ଏଠାରେ ଟିକେଟ କାହାକୁ ମିଳୁଛି, ତାହା ବି ଦେଖିବାଯୋଗ୍ୟ। ଜଣଙ୍କୁ ଟିକେଟ ମିଳିଲେ ଅନ୍ୟ ଜଣକ ମୁହଁ ଫୁଲେଇ ପ୍ରଚାରରେ ସହଯୋଗ କରି ନ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।