ଅନୁଗୁଳ: ୨୦୨୪ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ବୃଦ୍ଧି ପାଉଛି। ଅନୁଗୁଳ,ତାଳଚେର ବିଧାନସଭା କ୍ଷେତ୍ରକୁ ଛାଡ଼ି ଦେଲେ ବିଜେଡି ତାର ପ୍ରାର୍ଥୀ ନିଶ୍ଚୟ କରିଛି। ଚଳିତ ଥର ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ବିଜେଡି ନୂଆ ମୁହଁ ଦେଇଛି। ଅବଶ୍ୟ ନୂଆ ପ୍ରାର୍ଥୀ ନଳିନୀ ପ୍ରଧାନ ଜିଲ୍ଲାବାସୀଙ୍କ ପାଇଁ ନୂଆ ନୁହନ୍ତି। ଗତ ଥର ସମ୍ବଲପୁର ସଂସଦୀୟ କ୍ଷେତ୍ର ପାଇଁ ଲଢେଇ କରି ହାରି ଯାଇଥିଲେ। ଏଥର ଆଠମଲ୍ଲିକ ବିଧାନସଭା କ୍ଷେତ୍ର ପାଇଁ ବହୁ ପୂର୍ବରୁ କ୍ଷେତ୍ର ପ୍ରସ୍ତୁତ କରିଛନ୍ତି।
ନିର୍ବାଚନ ଫଳାଫଳକୁ ଯଦି ଦେଖା ଯିବ ଗତ ୬-୬ ଟି ମେଜର ନିର୍ବାଚନରେ ଏଠି ବିଜେଡି ବାଜିମାତ କରିଛି। ଗତ ୨୦୧୯ ନିର୍ବାଚନରେ ରମେଶ ଚନ୍ଦ୍ର ସାଏ ବିଜେପି ପ୍ରାର୍ଥୀ ଭାଗିରଥି ପ୍ରଧାନଙ୍କୁ ୪୭ ହଜାରରୁ ଅଧିକ ଭୋଟରେ ହରାଇଥିଲେ। ସାଏ ସେତେବେଳେ ଜଣେ ଉଚ୍ଚ ଅଧିକାରୀ ପଦରୁ ଇସ୍ତଫା ଦେଇ ରାଜନୀତିକୁ ଓହ୍ଲାଇଥିଲେ। ଏଥିରେ ନଳିନୀଙ୍କ ମଧ୍ୟ ସଦିଚ୍ଛା ରହିଥିଲା। ବର୍ଷେ ଦୁଇ ବର୍ଷ ଉଭୟଙ୍କ ମଧ୍ୟରେ ଠିକ୍ ଠାକ୍ ଚାଲିଥିଲା। ଏହାପରେ ଫାଟ ସୃଷ୍ଟି ହୋଇଥିଲା। ଯାହା ଶୁଣାଯାଏ ନଳିନୀଙ୍କ ଅନେକ ସମର୍ଥକଙ୍କୁ ସାଏ ଅସୁବିଧାରେ ପକାଇଥିଲେ। ଏଥିରେ ଖପ୍ପା ନଳିନୀ ସାଏଙ୍କ ଠାରୁ ଦୂରେଇ ଯିବାକୁ ଚାହୁଁଥିଲେ। ଯେଉଁ ମାମଲାକୁ ଜିଲ୍ଲା ସହ ପର୍ଯ୍ୟବେକ୍ଷକ କୁନ ବିହାରୀ ଦାସ ମଧ୍ୟ ଶେଷ ସମୟ ପର୍ଯ୍ୟନ୍ତ ତୁଟାଇବାକୁ ଚେଷ୍ଟା କରି ଫେଲ ମାରିଥିଲେ।
ଅନ୍ୟ ପକ୍ଷରେ ସାଏ ସଂଗଠନକୁ ନିଜ ହାତକୁ ନେବା ପାଇଁ ଚେଷ୍ଟା ଜାରି ରଖିଥିଲେ। ବିଶେଷ କରି ଗଣ୍ଡ ଓ ଅନ୍ୟାନ୍ୟ ଆଦିବାସୀ ସମାଜଙ୍କ ପାଇଁ ମନ୍ଦିର ନିର୍ମାଣ କରିବା ଠାରୁ ଆରମ୍ଭ ସେମାନଙ୍କ ଭଲ ମନ୍ଦରେ ଠିଆ ହେଉଥିଲେ। ବିଧାନସଭାରୁ ଘରକୁ ଫେରି ହଳ ଧରି ବିଲରେ ଚାଷକରି ସେ ଏକଦା ଗଣମାଧ୍ୟମରେ ବେଶ୍ ଚର୍ଚ୍ଚିତ ହୋଇଥିଲେ। ହେଲେ ଇତି ମଧ୍ୟରେ ଅଣ ଆଦିବାସୀ ସଂପ୍ରଦାୟଙ୍କ ପ୍ରତି ତାଙ୍କର ଅବହେଳା ନେଇ ଅନେକ ଲୋକ ଅସନ୍ତୁଷ୍ଟ ଥିଲେ। ଗତ ବର୍ଷେ ହେବ ସାଏ ଓ ନଳିନୀଙ୍କ ମଧ୍ୟରେ ଦୂରତା ବେଶ ବଢ଼ି ଯାଇଥିଲା। ଅନ୍ୟପକ୍ଷରେ ତୃତୀୟ ମହଲାରେ ନଳିନୀଙ୍କ କାଟତି ତୁଳନାତ୍ମକ ଭାବେ ଅଧିକ ଥିବାରୁ ଶେଷରେ ସେ ଏଥର ଟିକେଟ ହାତେଇବାକୁ ସଫଳ ହେଲେ ।
ଆଠମଲ୍ଲିକ ଅଞ୍ଚଳରେ ରାସ୍ତାଘାଟର ବିକାଶ, ପିଇବା ପାଣିର ସୁବିଧା,ଗଣ୍ଡ ସଂପ୍ରଦାୟଙ୍କ ପାଇଁ ଭୁବନେଶ୍ବରରେ ସ୍ଵତନ୍ତ୍ର ରହଣି ବ୍ୟବସ୍ଥା,ଶଙ୍ଖ ଚିହ୍ନର ବ୍ରାଣ୍ଡ ଭାଲ୍ୟୁକୁ ନେଇ ନଳିନୀ ନିର୍ବାଚନ ବୈତରଣୀ ପାର ହେବାକୁ ଆଶା ରଖିଛନ୍ତି। ତାଙ୍କର ପ୍ରତିଦ୍ୱନ୍ଦୀ ବିଜେପିର ସଞ୍ଜୀବ ସାହୁ ଏହି କ୍ଷେତ୍ରରୁ ଦୁଇ ଦୁଇ ଥର ଜିତିଛନ୍ତି। ବିଜେଡି କ୍ୟାବିନେଟ୍ ମନ୍ତ୍ରୀ ମଧ୍ୟ ହୋଇଛନ୍ତି।ମୋଦୀଙ୍କ ଲୋକପ୍ରିୟତାରୁ ସେ ଫାଇଦା ଉଠାଇବାକୁ ଆଶା ରଖିଛନ୍ତି। ଆଠମଲ୍ଲିକ ଏନ୍ଏସି,ଆଠମଲ୍ଲିକ ବ୍ଲକ ଓ କିଶୋରନଗର ବ୍ଲକକୁ ନେଇ ମୁଖ୍ୟତଃ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ଗଠିତ। ପାରମ୍ପରିକ ବିଜେପି ଭୋଟ ବ୍ୟତୀତ ସାଏଙ୍କ ସମର୍ଥନ ହେତୁ ସେ ଅଧିକ ବଳଶାଳୀ ହେବେ ବୋଲି ଚିନ୍ତା କରୁଛନ୍ତି।
ହେଲେ ବିନା ଶଙ୍ଖ ଚିହ୍ନରେ ଏହି କ୍ଷେତ୍ରରେ ଥିବା ପ୍ରାୟ ୨୫ ହଜାର ଆଦିବାସୀ ଭୋଟ କାହାକୁ ସମର୍ଥନ କରିବେ ତାହା ଏବେଠାରୁ କହିବା ମୁସ୍କିଲ। ସରକାରୀ କର୍ମଚାରୀ,ମହିଳା ଶକ୍ତି ଓ ନୂଆ ଯୁବ ଭୋଟର ଶଙ୍ଖ ଦଳର ପୁଞ୍ଜି ବୋଲି ସେମାନେ ଦାବି କରିଛନ୍ତି। ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇ ନଥିଲେ ମଧ୍ୟ ସଂଗଠନକୁ ଦୃଢ଼ କରିବା ପାଇଁ ପଞ୍ଚାୟତରେ ଦଳୀୟ କାର୍ଯ୍ୟକର୍ତ୍ତା ବୁଲିଲେଣି।
ତେବେ ପରିସ୍ଥିତି ଯାହା ଏଥର ଲଢ଼େଇ ଜବରଦସ୍ତ ହେବ ବୋଲି ରାଜନୈତିକ ମହଲ ବିଚାର କରୁଛନ୍ତି। କଂଗ୍ରେସକୁ ଏଠାରେ ଅନ୍ୟମାନେ ଦୁର୍ବଳ ବୋଲି ମନେ କରୁଥିଲେ ମଧ୍ୟ ଚଳିତ ଥର ସେମାନେ ନିର୍ଣ୍ଣାୟକ ହେବେ ବୋଲି ଦଳୀୟ କର୍ମକର୍ତ୍ତା ଦାବି କରୁଛନ୍ତି ।ସଞ୍ଜୀବ କିଶୋରନଗର ବ୍ଲକକୁ ଅଧିକ ଫୋକସ୍ କରୁଥିବା ବେଳେ ନଳିନୀ ଆଠମଲ୍ଲିକକୁ ଅଧିକ ଫୋକସ୍ କରୁଛନ୍ତି।ଏସବୁ ବାଦ ଶେଷ ମୁହୂର୍ତ୍ତରେ ଟଙ୍କାର ଖେଳ ସବୁ ଅଙ୍କ କଷାକୁ ଏପଟ ସେପଟ କରିପାରେ ବୋଲି ଅନେକ ସମୀକ୍ଷକ ମତ ଦେଉଛନ୍ତି।ଦେଖାଯାଉ ସମୟ ସୁଅରେ କିଏ ବାଜିମାତ କରୁଛି ।