ମୁଖ୍ୟ ଖବର

ଛେଣ୍ଡିପଦାରେ ସୁଶାନ୍ତ ହ୍ୟାଟ୍ରିକ କରିବେ!

By Biswaranjan Pattnaik

April 14, 2024

 

ଅନୁଗୁଳ: ଛେଣ୍ଡିପଦା ବିଧାନସଭା ଆସନ ଟି ୨୦୦୪ ମସିହାରେ ଗଠିତ ହୋଇଥିବା ବେଳେ ବିଭିନ୍ନ ସମୟରେ ଏଠି ବିଜେଡି ପ୍ରଭୂତ୍ଵ ବିସ୍ତାର କରିଛି। ବର୍ତ୍ତମାନ ସୁଶାନ୍ତ କୁମାର ବେହେରା ବିଜେଡି ବିଧାୟକ ଭାବେ କାର୍ଯ୍ୟ କରୁଛନ୍ତି।୨୦୧୯ ନିର୍ବାଚନରେ ସେ ମୋଟ ୭୪୯୧୧ ଟି ଭୋଟ ପାଇ ବିଜୟୀ ହୋଇଥିଲେ। ସେ ମୋଟ ୪୫.୩୯ ପ୍ରତିଶତ ଭୋଟ ପାଇଥିଲେ। ବିଜେପି ପ୍ରାର୍ଥୀ ଅଗସ୍ତି ବେହେରା ୬୮୧୧୭ ଟି ଭୋଟ ପାଇ ଦ୍ଵିତୀୟ ସ୍ଥାନରେ ରହିଥିଲେ। ତାଙ୍କ ଭୋଟ ୪୧ ପ୍ରତିଶତ। ସସ୍ମିତା ବେହେରା କଂଗ୍ରେସରୁ ଲଢି ମୋଟ ୧୬୫୮୮ ଟି ଭୋଟ ପାଇଥିଲେ। ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଟି ସଂରକ୍ଷିତ ଆସନ। ଛେଣ୍ଡିପଦା ବ୍ଲକ୍ ଏବଂ ବଅଁରପାଳ ବ୍ଲକ୍ ର ୧୨ ଟି ପଞ୍ଚାୟତକୁ ନେଇ ଏହି ନିର୍ବାଚନ ମଣ୍ଡଳୀ ଗଠିତ। ଅତୀତରେ ଛେଣ୍ଡିପଦା, କୋଶଳା,ବାଗେଡିଆ ଅଞ୍ଚଳ କଂଗ୍ରେସର ଦୁର୍ଗ ଥିଲା ପରବର୍ତ୍ତୀ ସମୟରେ କଂଗ୍ରେସ ନେତାଙ୍କ ଅବହେଳା ଯୋଗୁଁ ଏହି ଆସନଟି ବିଜେଡି ହାତକୁ ଚାଲିଯାଇଥିଲା।

ଛେଣ୍ଡିପଦାକୁ ନିକଟରେ ଏନ୍‌ଏସିର ମାନ୍ୟତା ଦିଆଯାଇଛି। ରାଜ୍ୟ ସରକାରଙ୍କ ଲୋକପ୍ରିୟ କାର୍ଯ୍ୟକ୍ରମ ଆଧାର କରି ସୁଶାନ୍ତ ଏଥର ମଧ୍ୟ ନିର୍ବାଚନ ବୈତରଣୀ ପାର ହେବାକୁ ଆଶା ରଖିଛନ୍ତି। ଗତ ୨୦୧୯ ରେ ବିଜେପିର ଅଗସ୍ତି ମାତ୍ର ୬ ହଜାରରୁ କିଛି ଅଧିକ ଭୋଟରେ ହାରିଛନ୍ତି। ଛେଣ୍ଡିପଦା ବିଧାନସଭା ଏରିଆରେ ଗତ ଜିଲ୍ଲା ପରିଷଦ ନିର୍ବାଚନରେ ଚରୋଟି ସିଟରୁ ତିନୋଟି ସିଟ ବିଜେଡି ହାତେଇ ନେଇଥିଲା। ଅଗସ୍ତି ଜଣେ ଦମଦାର ପ୍ରାର୍ଥୀ ହୋଇଥିଲେ ମଧ୍ୟ ତୃଣମୂଳ ସଂଗଠନକୁ ସଜଡ଼ିବାରେରେ ସେ ସୁଶାନ୍ତଙ୍କ ଠାରୁ ବହୁ ପଛରେ ଅଛନ୍ତି। କଂଗ୍ରେସ ଏଠାରେ ନୂଆ ମୁହଁ ଖୋଜିପାରେ ବୋଲି ଚର୍ଚ୍ଚା ହେଉଛି। ନିକଟରେ ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିବା ଗୋବିନ୍ଦ ନାଏକ ମଧ୍ୟ ପ୍ରାର୍ଥୀ ହେବା ନେଇ ଆଶା ବାନ୍ଧିଛନ୍ତି। ଅର୍ଥ ବଳ ସାଙ୍ଗକୁ ସେ ଯେତେ ଆକ୍ଟିଭ ହେବେ ଅଗସ୍ତିଙ୍କ ପାଇଁ ସେତେ ବିପଦ ହେବ ବୋଲି ଅନୁମାନ କରାଯାଉଛି।ଗତ ନିର୍ବାଚନରେ ଗୋବିନ୍ଦ ପ୍ରାୟ ଛ ହଜାର ଭୋଟ ପାଉଥିବା ବେଳେ ପ୍ରାୟ ସେତିକି ଭୋଟରେ ଅଗସ୍ତି ହାରିଥିଲେ। ତେଣୁ ନିର୍ବାଚନ ମଇଦାନରେ ଗୋବିନ୍ଦଙ୍କୁ ଅଣଦେଖା କରାଯାଇ ନ ପାରେ।