ଅନୁଗୁଳ : ଇଚ୍ଛା ବିରୋଧରେ ପ୍ରେମିକାର ବାହାଘର ହେଉଥିବା ନେଇ ପ୍ରେମିକ ଥାନାରେ ଅଭିଯୋଗ କରିବା ପରେ ବିବାହ ଭାଙ୍ଗିଲା ପୋଲିସ। ଶୁକ୍ରବାର ଅଙ୍ଗାରବନ୍ଧ ନିକଟରେ ଥିବା ଶିବ ମନ୍ଦିରରେ ଆଜି ଏଭଳି ଅଭାବନୀୟ ଘଟଣା ଘଟିଛି। ପୋଲିସ ଝିଅକୁ ବେଦୀରୁ ଉଠାଇ ଆଣିଥିବା ବେଳେ ପ୍ରେମିକର କିନ୍ତୁ ଫୋନ୍ ଅଫ୍ ଥିବା ସୂଚନା ମିଳିଛି।
ସୂଚନା ମୁତାବକ, ଅନୁଗୁଳ ସଦର ଥାନା ଅନ୍ତର୍ଗତ ଚଣ୍ଡୀଖମଣ ଶିବ ମନ୍ଦିର ଠାରେ ଶୁକ୍ରବାର ଏକ ବିବାହ ଚାଲିଥିଲା। କନ୍ୟା ଓ ବର ଦୁଇ ପକ୍ଷ ଉପସ୍ଥିତ ଥିବା ବେଳେ ବାହାଘରର ସମସ୍ତ ପ୍ରସ୍ତୁତି ସରିଥିଲା। କିନ୍ତୁ ଏହି ସମୟରେ ୧୧୨ ହେଲ୍ପଲାଇନରୁ କଲ୍ ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଝିଅର ଇଚ୍ଛା ବିରୁଦ୍ଧରେ ପରିବାର ଲୋକ ତାର ବାହାଘର କରୁଥିବା ନେଇ ଝିଅର ପ୍ରେମିକ ୧୧୨ ସହାୟତା ନମ୍ବରରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ମନ୍ଦିରରେ ପୋଲିସ ପହଞ୍ଚିଥିଲା। ଝିଅକୁ ଏହି ଅଭିଯୋଗ ବିଷୟରେ ପଚାରିବାରୁ ସେ ବାହାଘରରେ ରାଜି ନଥିବା କହିଥିଲେ। ଏମିତି କି ସେ ନିଜ ପରିବାର ସହ ମଧ୍ୟ ରହିବାକୁ ଚାହୁଁନଥିବା କହିଥିଲେ। ପୋଲିସ କନ୍ୟା ସହ ବର ପରିବାର ସଦସ୍ୟଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି।
ଝିଅ କହିଛନ୍ତି, ପ୍ରେମିକ ସହ ତାଙ୍କର ଆଗରୁ ବାହାଘର ପ୍ରସ୍ତାବ ପଡ଼ିଥିଲା। କିନ୍ତୁ ପ୍ରେମିକଙ୍କ ଘର ସେତେ ସ୍ଵଚ୍ଛଳ ନ ଥିବାରୁ ଝିଅର ପରିବାର ସେଠାରେ ବାହାଘର କରିବାକୁ ରାଜି ହୋଇନଥିଲେ। ସେ ପ୍ରେମିକ ସହ ଯିବାକୁ ଜିଦ୍ ଧରିଥିବା ବେଳେ ଠିକ ବେଳକୁ ଯୁବକ ଜଣକ ନିଜ ମୋବାଇଲ ନମ୍ବର ଅଫ୍ କରିଦେଇଥିବା ପୋଲିସ କହିଛି। ଏବେ ବି ୧୧୨ କୁ ଅଭିଯୋଗ ଆସିଥିବା ନମ୍ବର ଅଫ୍ କହୁଛି। ଏଣୁ ଯୋଗାଯୋଗ ହୋଇପାରୁନାହିଁ। ତେବେ କୌଣସି ଯୋଗାଯୋଗ ହୋଇ ନ ପାରିଲେ ଯୁବତୀଙ୍କୁ ପୋଲିସ ସ୍ୱଧାରଗୃହକୁ ପଠାଇବ ବୋଲି ସୂଚନା ମିଳିଛି।