ମୁଖ୍ୟ ଖବର

ଜିଏମଡିସିର ପ୍ରସ୍ତାବିତ କୋଇଲା ପ୍ରକଳ୍ପ ପାଇଁ ପରିବେଶୀୟ ମଞ୍ଜୁରୀ ଜନଶୁଣାଣୀ ସଫଳତାର ସହ ସମ୍ପନ୍ନ

By Sanjeeb Biswal

September 24, 2024

ଅନୁଗୁଳ: ଗୁଜୁରାଟ ମିନେରାଲ ଡେବଲପମେଣ୍ଟ କର୍ପୋରେସନ (ଜିଏମଡିସି)ର ପ୍ରସ୍ତାବିତ ବାର୍ଷିକ ୧୫ ନିୟୁତ ଟନ କ୍ଷମତା ସମ୍ପର୍ଣ ବୈତରଣୀ-ୱେଷ୍ଟ କୋଇଲା ପ୍ରକଳ୍ପ ନିମନ୍ତେ ପରିବେଶୀୟ ମଞ୍ଜୁରୀ ପାଇଁ ଜନଶୁଣାଣି ଆଜି ଛେଣ୍ଡିପଦl ସ୍ଥିତ ଜଗନ୍ନାଥ ମନ୍ଦିର ସନ୍ନିକଟ ପଡିଆଠାରେ ସଫଳତା ପୂର୍ବକ ସମ୍ପନ୍ନ ହୋଇଛି । ଅନୁଗୁଳର ଏଡିଏମ ପ୍ରତାପ ପ୍ରୀତିମୟଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ଜନ ଜନଶୁଣାଣି କାର୍ଯ୍ୟକ୍ରମରେ ପ୍ରସ୍ତାବିତ ପ୍ରକଳ୍ପ ପ୍ରଭାବିତ ବିଭିନ୍ନ ଗ୍ରାମବାସୀ ଅଂଶଗ୍ରହଣ କରି ଜିଏମଡିସିର ଏହି ପ୍ରକଳ୍ପକୁ ବିପୁଳ ସମର୍ଥନ ଜଣାଇବା ସହିତ ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଡକ୍ଟର ରମେଶ କୁମାର ଏକ୍କା କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।

କାର୍ଯ୍ୟକ୍ରମ ଆରମ୍ଭରେ ଜିଏମଡିସିର ଜିଏମ ସ୍ୱାଗତ ରୟ,ଏହି ପ୍ରକଳ୍ପରେ ପରିବେଶ ସୁରକ୍ଷା ପାଇଁ ପ୍ରସ୍ତାବିତ ବିଭିନ୍ନ ପଦକ୍ଷେପ ସମ୍ବନ୍ଧରେ ସବିଶେଷ ସୂଚନା ଦେଇଥିଲେ । ଏହି ପ୍ରକଳ୍ପରେ କମ୍ପାନୀ ପକ୍ଷରୁ ଛେଣ୍ଡିପଦା ଠାରେ ୪୪୪୫ କୋଟିର ପୁଞ୍ଜିନିବେଶ କରାଯିବ ଏବଂ ଏହାଦ୍ବାରା ୧୭୫୨ରୁ ଅଧିକ ପ୍ରତ୍ଯକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟିହେବ, ଯେଉଁଥିରେ ସ୍ଥାନୀୟ ଅଞ୍ଚଳର ଅର୍ଦ୍ଧ-କୁଶଳୀ ଏବଂ ସ୍ଥାନୀୟ ତଥା ବାହ୍ୟ ଅଞ୍ଚଳର କୁଶଳୀ କର୍ମଚାରୀ ଅନ୍ତର୍ଭୁକ୍ତ ହେବେ। ଏହା ସହିତ ହଜାର ହଜାର ପରୋକ୍ଷ ନିଯୁକ୍ତି ସହିତ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ବ୍ୟବସାୟ ସୁଯୋଗ ମଧ୍ୟ ସୃଷ୍ଟି ହେବ। କୋଇଲା ପ୍ରକଳ୍ପର ସମ୍ଭାବ୍ୟ ସୀମା ମଧ୍ୟରେ ପରିବେଶ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ବୃହତ ବୃକ୍ଷରୋପଣ ସହିତ ପରିବେଶର ନିୟମିତ ନୀରିକ୍ଷଣ କରାଯିବ।

ଉପସ୍ଥିତ ସମସ୍ତ ଗ୍ରାମବାସୀ ମାନେ ଏହି ପ୍ରକଳ୍ପକୁ ସ୍ଵାଗତ କରିବା ସହିତ, ସ୍ଥାନୀୟ ନିଯୁକ୍ତିକୁ ଅଗ୍ରାଧିକାର ଦେବାପାଇଁ ଦାବି ଏବଂ ଆପତ୍ତି ଜଣାଇଥିଲେ। କର୍ପୋରେଟ ସାମାଜିକ ଦାୟିତ୍ଵ (ସିଏସଆର) କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳରେ ଅଧିକ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ମଧ୍ୟ ଦାବି ଜଣାଇଥିଲେ ।

ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ସରପଞ୍ଚ ସୁଦୀପ୍ତ ପ୍ରଧାନଙ୍କ ସହ କମ୍ପାନୀର ମୁଖ୍ୟ ଜେନେରାଲ ମ୍ୟାନେଜର ଏଚ.କେ.ଯୋଶୀ, ଓଡିଶା ମୁଖ୍ୟ ଲେଫ୍ଟ ଜେନେରାଲ୍ ସଞ୍ଜୀବ ଶର୍ମା, ବୈତରଣୀ-ୱେଷ୍ଟ କୋଇଲା ପ୍ରକଳ୍ପ ମୁଖ୍ୟ ବ୍ରିଗେଡିୟର ମନୁ ମେହେରୋତ୍ରା ଏବଂ ଜେନେରାଲ ମ୍ୟାନେଜର ବି.କେ.ମାହାତୋ ଉପସ୍ଥିତ ଥିଲେ।