କ୍ରୀଡ଼ା

ବାଜି ରାଉତ କପ ଫୁଟବଲ: ଫାଇନାଲରେ ଗୋଆ ଓ ରାଜସ୍ଥାନ

By Biswaranjan Pattnaik

November 06, 2022

ଅନୁଗୁଳ: ସ୍ଥାନୀୟ କଦମ ପଡ଼ିଆ ଠାରେ ଚାଲିଥିବା ବାଜି ରାଉତ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦୁଇଟି ସେମିଫାଇନାଲ ମ୍ୟାଚ ଆଜି ଅନୁଷ୍ଠିତ ହୋଯାଇଛି।

ପ୍ରଥମ ମ୍ୟାଚରେ ଗୋଆର ଚର୍ଚ୍ଚିଲ ବ୍ରଦର୍ସ ମୁମ୍ବାଇ ଫୁଟବଲ କ୍ଲବକୁ ୫-୧ ଗୋଲରେ ପରାସ୍ତ କରି ସହଜରେ ଫାଇନାଲରେ ପ୍ରବେଶ କରିଥିଲା। ଗୋଆର ସେନେ ଏକାକୀ ଦୁଇଟି ଗୋଲ ଦେଇ ଶ୍ରେଷ୍ଠ ଖେଳାଳୀ ବିବେଚିତ ହୋଇଥିଲେ। ଦ୍ୱିତୀୟ ମ୍ୟାଚରେ ତାରକା ଖଚିତ ରାଜସ୍ଥାନ ଇଉନାଇଟେଡ଼ ଫୁଟବଲ କ୍ଲବ ଶ୍ରୀନିଧି ଡେକାନ କ୍ଲବ କୁ ୩-୦ ଗୋଲରେ ହରାଇ ଫାଇନାଲରେ ପହଞ୍ଚିଥିଲା।

ଏହି ସମାରୋହରେ ବରିଷ୍ଠ ବିଜେପି ନେତା ତଥା କେଉଁଝର ବିଧାୟକ ମୋହନ ଚରଣ ମାଝୀ, ଅଲ ଇଣ୍ଡିଆ ଫୁଟବଲ ଫେଡରେସନର ସଭାପତି କଲ୍ୟାଣ ଚୌବେ, ଜେସପିଏଲର ବରିଷ୍ଠ ଅଧିକାରୀ ଡି ବି ପାଣି, କ୍ରିକେଟ ତାରକା ଦେବାଶିଷ ମହାନ୍ତି, ବିଧାୟକ ଲଲାଟେନ୍ଦୁ ମହାପାତ୍ର, ଓସିଏ ଆପେକ୍ସ ସଦସ୍ୟ ପ୍ରତାପ ପ୍ରଧାନ, ବିଜେପି ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ, ଅଶୋକ ମହାନ୍ତି, ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ଟୁର୍ଣ୍ଣାମେଣ୍ଟରେ ସ୍ପେନ, ନାଇଜେରିଆ,କିର୍ଗିଜସ୍ଥାନ, ଆଫ୍ଗାନିସ୍ଥାନ, ବ୍ରାଜିଲ ଆଦି ଦେଶର ଖେଳାଳୀ ମାନଙ୍କ ଖେଳ ପ୍ରତିଭା ଅନୁଗୁଳ ବାସି ଦେଖିଥିଲେ। ଟିଭି ଆଙ୍କର ଶୋଭନା ସମାରୋହ ସଂଯୋଜନା କରିଥିଲେ। ପ୍ରାୟ ତିନି ହଜାର ଦର୍ଶକ ଖେଳ ଉପଭୋଗ କରିଥିଲେ। ଆସନ୍ତା ୮ ତାରିଖରେ ସାଉଥ ବଲଣ୍ଡା ଷ୍ଟାଡିୟମରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।