ଅନୁଗୋଳ: ରାଜ୍ୟ ସରକାରଙ୍କ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଅଧୀନରେ ଅନୁଗୋଳ ନିର୍ବାଚନ ମଣ୍ଡଳୀର ପି.ଏମ.ଶ୍ରୀ ଖଲାରି ନୋଡାଲ ଉଚ୍ଚ ବିଦ୍ୟାଳୟ ଓ ପି.ଏମ.ଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ତଳମୂଳ ଠାରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଖୋର୍ଦ୍ଧାରେ ରାଜ୍ୟବ୍ୟାପୀ ୨୦୪ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଏକାଳୀନ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସେହି କ୍ରମରେ ଅନୁଗୋଳ ନିର୍ବାଚନ ମଣ୍ଡଳୀରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବିଧାୟକ ଶ୍ରୀ ପ୍ରଧାନ କହିଛନ୍ତି ଯେ, ରାଜ୍ୟର ବିଜେପି ସରକାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣି ପ୍ରତ୍ୟେକ ଶିଶୁଙ୍କୁ ବିଶ୍ୱସ୍ତରୀୟ ଶୈକ୍ଷିକ ପରିବେଶ ଯୋଗାଇଦେବାକୁ ସଂକଳ୍ପବଦ୍ଧ’।ଅନୁଗୋଳ ନିର୍ବାଚନ ମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟରେ ଖଲାରି ଓ ତଳମୂଳ ସମେତ କୁମୁରିଶିଙ୍ଘା ଓ ପୋକୋତୁଙ୍ଗା ନୋଡାଲ ଉଚ୍ଚ ବିଦ୍ୟାଳୟକୁ ମଧ୍ୟ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭାବେ ସାମିଲ କରାଯାଇଛି। ଏହି ବିଦ୍ୟାଳୟଗୁଡିକରେ ପ୍ରାୟ ୭ କୋଟି ଟଙ୍କା ବ୍ୟୟରେ ସ୍ମାର୍ଟ ଶ୍ରେଣୀ ଗୃହ, ଛାତ୍ରଛାତ୍ରୀଙ୍କ ପାଇଁ ଭୋଜନାଳୟ, ଆବାସିକ ଗୃହ ଓ ଖେଳ ପଡିଆର ଉନ୍ନତି ଭଳି ଭିତ୍ତିଭୂମି ବିକାଶ କାର୍ଯ୍ୟ କରାଯିବ।
ଏହି ଯୋଜନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ବିଧାୟକ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି।
ଖଲାରୀଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନୁଗୋଳ ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ସାହୁ, ବିଡିଓ ଡା. ବିଶ୍ଵଭୂଷଣ, ସରପଞ୍ଚ ସସ୍ମିତା ଗଡନାୟକ, ସମିତି ସଭ୍ୟ ରାକେଶ ନନ୍ଦ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଯୁଧିଷ୍ଟିର ଶେଠ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବାଉରୀ ବନ୍ଧୁ ମହାପାତ୍ର ଓ ପ୍ରଧାନଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ତଳମୂଳଠାରେ ୨୮ ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟା ମୀରା ଗଡନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ, ବଅଁରପାଳ ବିଡିଓ ଲୋଚନ ଦାସ, ସରପଞ୍ଚ ସୋନାଲୀ ମହାପାତ୍ର, ସମିତି ସଭ୍ୟା ଅମ୍ରିତା ଜେନା, ବଅଁରପାଳ ବ୍ଲକ ଶିକ୍ଷା ଅଧିକାରୀ ତଥା ହାଇସ୍କୁଲର ପ୍ରଧାନ ଶିକ୍ଷକ ମାନସ ପୃଷ୍ଟି, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଉପସ୍ଥିତ ଥିଲେ।