ଅନୁଗୁଳ: ଅନୁଗୁଳ ସହରରେ ପୁଣି ମାତିଛନ୍ତି ଛିନ୍ତାଇ ଲୁଟେରା। ଶୁକ୍ରବାର ସନ୍ଧ୍ୟାରେ ଗାନ୍ଧିମାର୍ଗ ଗୁଜରାଟିପଡ଼ାର ଜଣେ ନାବାଳିକାଙ୍କ ବେକରୁ ଦୁର୍ବୃତ୍ତ ସୁନା ଚେନ୍ ଛିଣ୍ଡାଇ ନେଇଥିବା ଜଣାପଡ଼ିଛି । ଛିନ୍ତାଇର ଶିକାର ହୋଇଥିବା ନାବାଳିକା ହେଲେ ଜଣେ ବ୍ୟବସାୟୀଙ୍କ ୧୧ ବର୍ଷର ଝିଅ । ନାବାଳିକା ଶୁକ୍ରବାର ସନ୍ଧ୍ୟାରେ ସାଙ୍ଗଙ୍କ ସହ ଘର ସାମ୍ନା ରାସ୍ତାରେ କଥା ହେଉଥିଲେ । ସମୟ ପ୍ରାୟ ସାଢ଼େ ୬ଟା ବେଳେ ବୁଲେଟ୍ରେ ଜଣେ ଯୁବକ ଆସି ସେଠାରେ ପହଞ୍ଚିଥିଲା। ସେଇ ଜାଗାର ଠିକଣା ପଚାରିବା ବାହାନାରେ ଦୁର୍ବୃତ୍ତ ନାବାଳିକା ବେକରୁ ସୁନା ଚେନ୍ ଛିଣ୍ଡାଇ ହୁଲୁରସିଂହା ଛକ ଆଡ଼କୁ ପଳାଇ ଯାଇଥିଲା। ପାଖରେ ଲାଗିଥିବା ଏକ ସିସିଟିଭିରେ ଦୁର୍ବୃତ୍ତର ଛିନ୍ତାଇର ଦୃଶ୍ୟ କଏଦ୍ ହୋଇଛି। ଖବର ପାଇ ଅନୁଗୁଳ ଥାନା ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଅଛି।