ଅନୁଗୁଳ: ସୁନା ଚେନ୍ ଚୋରି ଅଭିଯୋଗରେ ଫଟୋଗ୍ରାଫରଙ୍କୁ ମାଡ଼। ଆଖିବୁଜା ମାଡ଼ରେ ଯୁବକ ଲହୁଲୁହାଣ। ଅଭିଯୋଗ ପରେ ତାଙ୍କୁ ପୋଲିସ ନିଜ ହେପାଜତକୁ ନେଇଥିବା ଅଭିଯୋଗ ହୋଇଛି। ଅଟକ ଯୁବକ ଈଙ୍କରବନ୍ଧ ଅଞ୍ଚଳର ଜଣେ ଫଟୋଗ୍ରାଫର ବୋଲି ସୂଚନା ମିଳିଛି।
ପୋଲିସ୍ ସୂଚନା ମୁତାବକ, ଫଟୋଗ୍ରାଫର ଜଣକ ଗତ ଫେବ୍ରୁଆରୀ ୧୪ ତାରିଖରେ ରନ୍ତଲେଇ ଅଞ୍ଚଳରେ ଏକ ବାହାଘର ସୁଟିଂ କରିଥିଲେ। ସେ ଗତକାଲି କୌଣସି କାମରେ ରନ୍ତଲେଇ ଅଞ୍ଚଳକୁ ଯାଇଥିଲେ। ସେଠାରେ ସେ ସୁଟିଂ କରିଥିବା ବିବାହିତ ଯୁବକଙ୍କ ସହିତ ଦେଖା ହୋଇଥିଲା। ପରେ ବିବାହିତ ଯୁବକ, ତାଙ୍କ ସାଙ୍ଗସାଥୀ ଓ ଫଟୋଗ୍ରାଫର ଜରପଡ଼ା ଥାନା ଅଞ୍ଚଳର ଏକ ଢାବାକୁ ଖାଇବାକୁ ଯାଇଥିଲେ। ଖାଇବା ବେଳେ ବିବାହିତ ଯୁବକଙ୍କ ସୁନା ଚେନ୍ ଛିଣ୍ଡି ଯାଇଥିଲା। ଚେନ୍କୁ ସେ ଫଟୋଗ୍ରାଫରଙ୍କୁ ଧରାଇ ବିଲ୍ ପେମେଣ୍ଟ କରିବାକୁ ଯାଇଥିଲେ। ମାତ୍ର ପେମେଣ୍ଟ କରି ଫେରିବା ବେଳକୁ ଫଟୋଗ୍ରାଫର ସେଠାରୁ ଚମ୍ପଟ ମାରିଥିଲେ। ତାଙ୍କୁ ପିଛା କରି ବିବାହିତ ଯୁବକ ଓ ସାଙ୍ଗସାଥୀ ମୂଷାପାପୁଲି ଅଞ୍ଚଳରେ କାବୁ କରି ଚେନ୍ ବିଷୟରେ ପଚାରିଥିଲେ। ମାତ୍ର ସେ ରାଜି ନ ହେବାରୁ ତାଙ୍କୁ ପ୍ରବଳ ପିଟିଥିଲେ। ପରେ ତାଙ୍କୁ ଉକ୍ତ ଢାବାକୁ ନେଇ ସେଠାରେ ସିସିଟିଭି ଯାଞ୍ଚ କରାଇଥିଲେ। କିନ୍ତୁ ଭିଡିଓରୁ କିଛି ସ୍ପଷ୍ଟ ହୋଇନଥିଲା। ପରେ ଫଟୋଗ୍ରାଫରକୁ ରନ୍ତଲେଇ ଅଞ୍ଚଳକୁ ଆଣି ପୁଣି ବାଡ଼ିଆପିଟା କରିଥିଲେ। ତାଙ୍କ ମୁହଁ ଓ ଶରୀରରେ ଗୁରୁତର ଆଘାତ ଲାଗିଛି। ରାତି ପ୍ରାୟ ସାଢ଼େ ୯ଟା ବେଳକୁ ଫଟୋଗ୍ରାଫରଙ୍କୁ ସଦର ଥାନା ପୋଲିସ୍ ଜିମା ଦେଇଥିଲେ। ପୋଲିସ ତାଙ୍କ ଚିକିତ୍ସା କରାଇବା ସହ ଘଟଣା ଘଟିଥିବା ଜରପଡ଼ା ଥାନାକୁ ହସ୍ତାନ୍ତର କରିଛି।