ମୁଖ୍ୟ ଖବର

ବାଲିପଟା ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ “ଅନ୍ବେଷା” ଉଦଘାଟିତ, ଯୋଗ ଦେଲେ ଡ. ସୁବ୍ରତ ବାଗଚୀ

By Sanjeeb Biswal

February 10, 2023

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବାଲିପଟା ସରକାରୀ ଉଚ୍ଚ ବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ଅବସରରେ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କ ନେତୃତ୍ବରେ ୩ ଦିନ ବ୍ୟାପୀ ସୁବର୍ଣ୍ଣ ଜୟନ୍ତୀ “ଅନ୍ବେଷା” ସମାରୋହ ମହାଆଡମ୍ବରରେ ପାଳିତ ହେଉଛି। ଜୁବୁଲି କମିଟିର ସଭାପତି ମାନସ ରଞ୍ଜନ ଗଡ଼ନାୟକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ସମାରୋହର ପ୍ରଥମ ଦିବସ ସକାଳେ ପୁରାତନ ଛାତ୍ରୀଛାତ୍ର କୁନ୍ଦେଶ୍ବରୀ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା କରିବା ପରେ ଏକ ମଶାଲ ଶୋଭାଯାତ୍ରା ବାହାରିଥିଲା। ଏହି ଶୋଭାଯାତ୍ରା କିସିଣ୍ଡା, ହଟିଆନାଳି, ଚନ୍ଦ୍ରପୁର, ପଳାସବଣିଆ, କୁଶକିଳା, ନାଉପଦା ବାଲିପଟା ଆଦି ଗ୍ରାମ ପରିକ୍ରମା କରିବା ପରେ ବିଦ୍ୟାଳୟରେ ପହଞ୍ଚିଥିଲା। ଏହା ପରେ ଅପରାହ୍ନରେ ଓଡ଼ିଶା ସରକାରଙ୍କର ଦକ୍ଷତା ଓ କୌଶଳ ବିକାଶ ବିଭାଗର ଅଧ୍ୟକ୍ଷ ଡ. ସୁବ୍ରତ ବାଗଚି ଅତିଥି ଭାବେ ଯୋଗ ଦେଇ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ଉଜ୍ଜ୍ବଳ ଭବିଷ୍ୟତ ଗଢିବା ପାଇଁ ପରାମର୍ଶ ଦେଇଥିଲେ। ପରେ ସଂଧ୍ୟାରେ ଆୟୋଜିତ “ଅନ୍ବେଷା”ର ଉଦଘାଟନୀ ଉତ୍ସବରେ ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ, ଡ. ସୁବ୍ରତ ବାଗଚି, ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ, ବବିତା ପ୍ରଧାନ ପ୍ରମୁଖ ଯୋଗ ଦେଇ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। ଏହାପରେ ଅତିଥିମାନେ ମାନସ ଗଡନାୟକଙ୍କ ରଚିତ ସୁବର୍ଣ୍ଣ ସମାବେଶ ସଙ୍ଗିତ ଓ ଅନ୍ବେଷା ପତ୍ରିକାର ଉନ୍ମୋଚନ କରିଥିଲେ। ଉଦଘାଟନୀ ସଭାରେ ସୁଶାନ୍ତ ତ୍ରିପାଠୀ ମଞ୍ଚ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଋଷଭ ସାହୁ ବିଦ୍ୟାଳୟର ବିବରଣୀ ପାଠ କରିଥିଲେ। ଜୁବୁଲି କମିଟିର ସଭାପତି ତଥା ପୁରାତନ ଛାତ୍ର ମାନସ ରଞ୍ଜନ ଗଡନାୟକ , ସ୍ବାଗତ ଭାଷଣ ଓ କାର୍ଯ୍ୟକାରୀ ସଭାପତି ସୁଦୀପ୍ତ ଗଡନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ଉପଦେଷ୍ଟା ପଣ୍ଡିତ ମୋହନ ଗଡନାୟକ, ମଦନ ମୋହନ ଗଡନାୟକ, ସମ୍ପାଦକ ରମାକାନ୍ତ ଗଡନାୟକ, ପରିଚାଳନା କମିଟ ସଭାପତି ଖଗେଶ୍ବର ସାହୁ, ଛାତ୍ର ଜଳଧର ପ୍ରଧାନ, ଲମ୍ବୋଦର ସାହୁ, ସିଦ୍ଧାର୍ଥ ଗଡନାୟକଙ୍କ ସମେତ ବିଦ୍ୟାଳୟର ପୁରାତନ ଛାତ୍ରୀଛାତ୍ର ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।