ଅନୁଗୁଳ: ଆସନ୍ତା ୨୮ ତାରିଖରେ ବିଜୁ ମଇଦାନରେ ଅନୁଗୁଳ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳିତ ହେବ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସମାରୋହକୁ ଉଦଘାଟନ କରିବେ। ଏଥିନେଇ ବୁଧବାର ସ୍ଥାନୀୟ ଏକ ହୋଟେଲରେ ସଙ୍ଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏହି ସମ୍ମିଳନୀରେ ପ୍ରତିଷ୍ଠାନର ଅଧ୍ୟକ୍ଷ ତଥା ସିଇଓ ଅଶୋକ କୁମାର ଜୈନ, ସଭାପତି ଦୀପକ ବର୍ମା, ସମ୍ପାଦକ ଅଶୋକ କୁମାର ମୋଦୀ, କୋଷାଧ୍ୟକ୍ଷ ବିକାଶ ପୋଦ୍ଦାର, ମୁଖ୍ୟ ସଂଯୋଜକ ଚନ୍ଦ୍ରକାନ୍ତ ଧଳ, ଉପ ସଭାପତି ବିକ୍ରମ ଅଗ୍ରୱାଲ ଓ ସୁବାସ ପ୍ରଧାନ, ସହ ସମ୍ପାଦକ ଶେଖ୍ ରଫିକ ଏବଂ ମିଡ଼ିଆ ପ୍ରଭାରୀ ଦୀପ୍ତି ରଞ୍ଜନ ପ୍ରଧାନ ଯୋଗ ଦେଇଥିଲେ।
ସମ୍ମିଳନୀରେ ଅଧ୍ୟକ୍ଷ ଶ୍ରୀ ଜୈନ ସଙ୍ଘର ୫୦ ବର୍ଷର ଇତିହାସ, ବ୍ୟବସାୟୀଙ୍କ ସ୍ବାର୍ଥ ପାଇଁ ନିଆ ଯାଇଥିବା ବିଭିନ୍ନ ପଦକ୍ଷେପ, ରକ୍ତଦାନ ଓ ବୃକ୍ଷରୋପଣ ଭଳି ସାମାଜିକ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ଅନୁଗୁଳରେ ଏକ ଇଣ୍ଡଷ୍ଟ୍ରିଆଲ ହବ୍ ପ୍ରତିଷ୍ଠା କରିବା ଏବଂ ସ୍ଥାନୀୟ ଲୋକଙ୍କୁ ରୋଜଗାର ଦେବାସହ ଜିଲ୍ଲା ଅର୍ଥନୀତିରେ ବିକାଶ କରିବା ସ୍ବପ୍ନ ନେଇ ଆଗଉଥିବା ବଣିକ ସଙ୍ଘ ଆଗାମୀ ଦିନରେ ମନ୍ତ୍ରୀଙ୍କ ଆଲୋଚନା କରି ଏହାକୁ କିଭଳି ସଫଳ କରାଇବେ ସେଥିନେଇ ବିସ୍ତୃତ ଆଲୋଚନା କରିଥିଲେ। ଯଦି ଏଠାରେ ସ୍ଵତନ୍ତ୍ର ଇକୋନୋମିକ ଜୋନ ପ୍ରତିଷ୍ଠା ସମ୍ଭବ ହୁଏ ତେବେ ହଜାର ହଜାର କ୍ଷୁଦ୍ର ଓ ମଧ୍ୟମ ଶ୍ରେଣୀର ଉଦ୍ୟୋଗୀ ମାନେ ବହୁଳ ଭାବେ ଉପକୃତ ହେବେ ବୋଲି ସାମ୍ବାଦିକ ସମ୍ମିଳନୀରେ ମତ ପ୍ରକାଶ ପାଇଥିଲା। ଆସନ୍ତା ୨୮ ତାରିଖ ଦିନ ଏ ଅବସରରେ ଓଡ଼ିଶାର ବହୁ ନାମୀ ଦାମୀ କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ ବୋଲି ଜଣାପଡିଛି।