ଅନୁଗୁଳ: ଦୀର୍ଘ ବର୍ଷର ବ୍ୟବଧାନ ପରେ ମହାନଦୀର ସାତକୋଶିଆ ଗଣ୍ଡରୁ ଏକ ଶୁଭ ସୂଚନା ଆସିଛି। ବାହାରୁ ଅତିଥି ଭାବେ ଆସିଥିବା ଏକ ନୂତନ ଘଡ଼ିଆଳ କୁମ୍ଭୀର ଯୋଡ଼ିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିବା ପରେ ସେମାନେ ସାତକୋଶିଆକୁ ନୂଆ ଉପହାର ଦେଇଛନ୍ତି। ଗତ ମାର୍ଚ୍ଚ ମାସରେ ବଳଦମଡ଼ା ବସାରେ ଅଣ୍ଡାଦାନ କରିଥିବା ମାଈ ଘଡ଼ିଆଳଟି ଗତକାଲି ଅଣ୍ଡା ଫୁଟାଇ ୧୧ଟି ଶାବକ ଜନ୍ମ ଦେଇଛି। ବର୍ତ୍ତମାନ ଏହି ଶାବକମାନେ ମହାନଦୀ ଜଳରେ ଖେଳୁଥିବା ଦେଖାଯାଇଛି।
ସୂଚନାଯୋଗ୍ୟ ଯେ, ବଂଶବୃଦ୍ଧି ପାଇଁ ୨୦୨୧ରେ ନନ୍ଦନକାନନରୁ ଏକ ମାଈ ଏବଂ ୨୦୨୨ରେ ରାଜସ୍ଥାନର ଜୟପୁରରୁ ଏକ ଅଣ୍ଡିରା ଘଡ଼ିଆଳ ସାତକୋଶିଆ ଅଣାଯାଇଥିଲା। ପୁରୁଣା ଅଣ୍ଡିରା ଘଡ଼ିଆଳଟି ଆହତ ହୋଇ ଚିକିତ୍ସିତ ହେଉଥିବା ବେଳେ ଏହି ନୂଆ ଯୋଡ଼ି ସୁନାଖଣିଆଠାରେ ଏକାଠି ହୋଇଥିଲେ। ସୁରକ୍ଷା ଦୃଷ୍ଟିରୁ ବନବିଭାଗ ପକ୍ଷରୁ ସେଠାରେ ବୋଟ୍ ଚଳାଚଳ ବନ୍ଦ କରାଯିବା ସହ ୨୪ ଘଣ୍ଟିଆ ସିସିଟିଭି ମନିଟରିଂ ଓ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଥିଲା। ପ୍ରଥମ ଥର ପାଇଁ ବାହାରୁ ଆସିଥିବା ଘଡ଼ିଆଳଙ୍କ ସଫଳ ବଂଶବୃଦ୍ଧି ସାତକୋଶିଆ ପାଇଁ ଏକ ଶୁଭ ସଙ୍କେତ ବୋଲି ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଗଦାଧର ପାତ୍ର ପ୍ରକାଶ କରିଛନ୍ତି।