ଅନୁଗୋଳ: ସ୍ଥାନୀୟ ତାଳଚେର ପୌର ପରିଷଦର ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ଏକ ବଡ଼ ଆଶ୍ବସ୍ତି ଆଣିଛି ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ। ଦୀର୍ଘ ୨୫ ବର୍ଷ ଧରି ଅବସରକାଳୀନ ପାଉଣା ନପାଇ ହନ୍ତସନ୍ତ ହେଉଥିବା କର୍ମଚାରୀଙ୍କ ପାଇଁ ୪.୫୫ କୋଟି ଟଙ୍କାର ବକେୟା ଅର୍ଥ ମଞ୍ଜୁର ହୋଇଛି।
ନଗରପାଳ ପବିତ୍ର ଭୂତିଆ ଏହି ଗୁରୁତ୍ୱପୂର୍ଣ୍ଣ ସମସ୍ୟା ସମ୍ପର୍କରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅବଗତ କରାଇଥିଲେ। ଶ୍ରୀ ପ୍ରଧାନଙ୍କ ସ୍ୱତନ୍ତ୍ର ଉଦ୍ୟମ ଓ ରାଜ୍ୟ ସରକାରଙ୍କ ସହଯୋଗ କ୍ରମେ ଏହି ଅର୍ଥ ମଞ୍ଜୁର କରାଯାଇଛି। ଦୀର୍ଘ ଦିନର ବକେୟା ଅର୍ଥ ମଞ୍ଜୁର ହେବା ପରେ ଅବସରପ୍ରାପ୍ତ କର୍ମଚାରୀଙ୍କ ପରିବାରରେ ଏକ ପ୍ରକାର ଖୁସିର ମାହୋଲ ସୃଷ୍ଟି ହୋଇଛି। ଏଥିପାଇଁ କର୍ମଚାରୀ ଓ ସ୍ଥାନୀୟ ଜନସାଧାରଣ ସାଂସଦ ତଥା ନଗରପାଳଙ୍କୁ କୃତଜ୍ଞତା ଜଣାଇଛନ୍ତି।