ଭୁବନେଶ୍ବର: ଏଣିକି ଭୂମିହୀନଙ୍କୁ ମିଳିବ ଜମି। ଘର କରିବାକୁ ସେମାନଙ୍କୁ ରାଜ୍ୟ ସରକାର ୪ ଡେସିମିଲ ଜମି ଯୋଗାଇବେ। ଏ ନେଇ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।
ସେ କହିଛନ୍ତି, ଲ୍ୟାଣ୍ଡ ସେଟଲମେଣ୍ଟ ୧୯୬୨ ଅନୁଯାୟୀ ବସୁନ୍ଧରା ଯୋଜନାରେ ଭୂମିହୀନଙ୍କୁ ୪ ଡେସିମିଲ ଜମି ଦିଆଯିବାର ବ୍ୟବସ୍ଥା ଅଛି। ପୂର୍ବରୁ ସେ ଜମି ୧୦ ବର୍ଷ ପରେ ବିକ୍ରି କରିବାର ନିୟମ ମଧ୍ୟ ଥିଲା। କିନ୍ତୁ ଏହାକୁ ଏଣିକି ବିକ୍ରି କରାଯାଇପାରିବ ନାହିଁ ବୋଲି ସରକାରୀ ସ୍ତରରେ ସଂଶୋଧନ କରାଯାଇଛି।
ଏ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ବସୁନ୍ଧରା ଯୋଜନା ଅନୁସାରେ ଭୂମିହୀନଙ୍କୁ ଘର କରିବାକୁ ଜମି ଯୋଗାଇ ଦିଆଯିବ। ସେ ଆହୁରି କହିଛନ୍ତି, ଭୂମିହୀନ ଅର୍ଥ ଯେଉଁମାନଙ୍କର ବାସଗୃହ କିମ୍ବା ଚାଷ ପାଇଁ କୌଣସି ଜମି ନଥାଏ। କିନ୍ତୁ ଏପରି କିଛି ଗରିବ ଲୋକ ଅଛନ୍ତି ସେମାନଙ୍କ ପାଖରେ ଥିବା ଜମିର ଆକାର ଏତେ ଛୋଟ ଯେ ସେଥିରେ ସେମାନେ ଚାଷ କିମ୍ବା ଘର କରିବା ଅସମ୍ଭବ। ଏହିପରି ବର୍ଗର ଲୋକଙ୍କୁ ଆମେ ଜମି ଯୋଗାଇ ଦେବାକୁ ସ୍ଥିର କରିଛୁ। ସରକାର ସେମାନଙ୍କ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି।
ମୋଟ ୪ ଡେସିମିଲ ଜମି ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ। ଯଦି ସେମାନଙ୍କ ପାଖରେ ୪ ଡେସିମିଲରୁ କମ୍ ଜମି ଥାଏ ତେବେ ସେମାନେ ଏହାକୁ ସରକାରଙ୍କୁ ହସ୍ତଗତ କରିବା ପରେ ସେମାନଙ୍କୁ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ୪ ଡେସିମିଲ ଜାଗା ଯୋଗାଇ ଦିଆଯିବ ବୋଲି ରାଜସ୍ଵ ମନ୍ତ୍ରୀ କହିଛନ୍ତି।