ମୁଖ୍ୟ ଖବର

ଖୁସି ଖବର! ଲଗାତାର ଦ୍ବିତୀୟ ଦିନରେ କମିଲା ସୁନା ଦର, ରୁପା କେଜିରେ ୫୫ ହଜାର ହ୍ରାସ

By Angul TV Bureau

January 31, 2026

ଭୁବନେଶ୍ୱର: ବିଶ୍ୱ ବଜାରରେ ଅସ୍ଥିରତା ମଧ୍ୟରେ ଘରୋଇ ବଜାରରେ ସୁନା ଓ ରୁପା ଦରରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଲଗାତାର ଦ୍ବିତୀୟ ଦିନ ପାଇଁ ଉଭୟ ମୂଲ୍ୟବାନ ଧାତୁର ଦର ଖସିଛି। ବିଶେଷ କରି ରୁପା ଦରରେ ଏକ ବଡ଼ ଧରଣର ହ୍ରାସ ଘଟିଛି, ଯାହା ଗତ ଦଶନ୍ଧି ମଧ୍ୟରେ ସର୍ବାଧିକ ବୋଲି କୁହାଯାଉଛି।ଆଜି ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୮,୬୨୦ ଟଙ୍କା ହ୍ରାସ ପାଇଛି। ଗତକାଲି ଏହାର ମୂଲ୍ୟ ୧ ଲକ୍ଷ ୬୯ ହଜାର ୨୦୦ ଟଙ୍କା ଥିବାବେଳେ, ଆଜି ତାହା ୧ ଲକ୍ଷ ୬୦ ହଜାର ୫୮୦ ଟଙ୍କାକୁ ଖସି ଆସିଛି।

ସେହିପରି ଅଳଙ୍କାର ପ୍ରସ୍ତୁତି ପାଇଁ ବ୍ୟବହୃତ ୨୨ କ୍ୟାରେଟ୍ ସୁନା ଦରରେ ମଧ୍ୟ ୭,୯୦୦ ଟଙ୍କାର ହ୍ରାସ ଘଟିଛି। ଫଳରେ ଗତକାଲିର ୧ ଲକ୍ଷ ୫୫ ହଜାର ୧୦୦ ଟଙ୍କା ବଦଳରେ ଆଜି ଏହା ୧ ଲକ୍ଷ ୪୭ ହଜାର ୨୦୦ ଟଙ୍କାରେ ପହଞ୍ଚିଛି। ୧୮ କ୍ୟାରେଟ୍ ସୁନା ଦର ମଧ୍ୟ ୬,୪୬୦ ଟଙ୍କା କମି ୧ ଲକ୍ଷ ୨୦ ହଜାର ୪୪୦ ଟଙ୍କା ହୋଇଛି।ସୁନା ତୁଳନାରେ ରୁପା ଦରରେ ଅଧିକ ହ୍ରାସ ଦେଖାଦେଇଛି। ମାତ୍ର ୨୪ ଘଣ୍ଟା ମଧ୍ୟରେ ରୁପା କେଜି ପିଛା ୫୫,୦୦୦ ଟଙ୍କା ଶସ୍ତା ହୋଇଛି। ଗତକାଲି ରୁପା ଦର ୪ ଲକ୍ଷ ୫ ହଜାର ଟଙ୍କା ଥିବା ବେଳେ ଆଜି ଏହା ୩ ଲକ୍ଷ ୫୦ ହଜାର ଟଙ୍କାକୁ ଖସି ଆସିଛି। ଶିଳ୍ପ ଜଗତରେ ବ୍ୟାପକ ବ୍ୟବହାର ଏବଂ ନିବେଶକଙ୍କ ପରିବର୍ତ୍ତିତ ଆଭିମୁଖ୍ୟ ଯୋଗୁଁ ବଜାରରେ ଏଭଳି ସ୍ଥିତି ଉପୁଜିଛି।ଅନ୍ତର୍ଜାତୀୟ ବଜାରରେ ସୁନା ଦର ପ୍ରଥମ ଥର ପାଇଁ ଆଉନ୍ସ ପିଛା ୫,୦୦୦ ଡଲାର ଅତିକ୍ରମ କରି ୫,୫୧୧.୭୯ ଡଲାରରେ ରହିଛି। ସେହିପରି ରୁପା ଆଉନ୍ସ ପିଛା ୧୧୮ ଡଲାରରେ ପହଞ୍ଚିଛି।