ମୁଖ୍ୟ ଖବର

ଲିଙ୍ଗରାଜ କୋଇଲା ଖଣିରେ ଗୁଣ୍ଡାଙ୍କ ଆତଙ୍କରାଜ, ଅଧଘଣ୍ଟା ଧରି ଗାଡ଼ି ମଟର ଭଙ୍ଗାରୁଜା କରିବା ସହ କର୍ମଚାରୀଙ୍କୁ ଦେଲେ ହତ୍ୟା ଧମକ

By Angul TV Bureau

November 13, 2024

ଅନୁଗୁଳ: ମାରଣାସ୍ତ୍ର ଧରି ପଶିଲେ ଆଉ ଗାଡ଼ି, ଜିନିଷ ପତ୍ର, ଯାହାକୁ ପାଇଲେ ବାଡ଼େଇ ଭାଙ୍ଗିଲେ। ଆଉ ଲୋକଙ୍କୁ ଦେଲେ ହତ୍ୟା ଧମକ। ଅନୁଗୁଳ ଜିଲ୍ଲା ତାଳଚେର ଲିଙ୍ଗରାଜ କୋଇଲା ଖଣିରେ ମଙ୍ଗଳବାର ପାଖାପାଖି ଅଧାଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଏଭଳି ଆତଙ୍କ ଖେଳାଇ ଥିଲେ ଦୁର୍ବୃତ୍ତ।

ସୂଚନା ଅନୁସାରେ, ଲିଙ୍ଗରାଜ କୋଇଲା ଖଣିରେ ସବୁଦିନ ଭଳି କେଟିଏଲ୍ ଓ ଜେଏଆରଏଲ୍ ନାମକ ଦୁଇଟି କମ୍ପାନୀର କୋଇଲା ଗାଡି ଚାଲୁଥିଲା। ସନ୍ଧ୍ୟା ପ୍ରାୟ ୫.୩୦ ବେଳେ ଲାଙ୍ଗିଯୋଡ଼ା ଗାଁର ତାପସ ସାହୁ ଓ ବାଲୁଗାଁର ଜିତେନ୍ଦ୍ର ସେଠୀଙ୍କ ନେତୃତ୍ୱରେ ୫୦ ରୁ ୬୦ ଯୁବକ ଖଣି ଭିତରେ ଧସେଇ ପଶିଥିଲେ। କାହା ହାତରେ ଭୁଜାଲି ଥିଲା ତ କାହା ହାତରେ ହକି ଷ୍ଟିକ ଆଉ କିଏ ଠେଙ୍ଗା ଧରି ଆରମ୍ଭ କରିଥିଲେ ଆତଙ୍କରାଜ। ଖଣିରେ ନିୟୋଜିତ ଥିବା କୋଇଲା ଟ୍ରକ ଏବଂ ବୋଲେରୋ ଗାଡିର ଗୋଟିଏ ପରେ ଗୋଟିଏ କାଚକୁ ଭାଙ୍ଗିଥିଲେ। ୧୫ରୁ ଊର୍ଦ୍ଧ୍ବ ଗାଡି ଭାଙ୍ଗିବା ସହ ଲିଙ୍ଗରାଜ ଟାଇମ ଅଫିସ ଭିତରେ ପଶି ସମସ୍ତ ଆସବାବ ପତ୍ରକୁ ଭାଙ୍ଗିରୁଜି ଦେଇଥିଲେ। ଭୟରେ ଗାଡ଼ି ଡ୍ରାଇଭର ଓ ଅନ୍ୟ ଖଣି କର୍ମଚାରୀମାନେ ଲୁଚି ଯାଇଥିଲେ।

ଖବର ପାଇ ଘଟଣାସ୍ଥଳରେ ଏକ ପ୍ଲାଟୁନ ଫୋର୍ସ ଧରି ତାଳଚେର ପୋଲିସ ପହଞ୍ଚିଥିଲା। କିନ୍ତୁ ସେତେବେଳକୁ ଦୁର୍ବୃତ୍ତମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ତେବେ କେଉଁ କାରଣରୁ ଓ କାହିଁକି ଭଙ୍ଗା ରୁଜା ହେଲା ଏହାର କାରଣ ଅସ୍ପଷ୍ଟ ରହିଛି।

ଅନ୍ୟପଟେ ଏନେଇ ଖଣି ସୁରକ୍ଷାକର୍ମୀ, ଜେଏଆରଏଲ୍ କମ୍ପାନୀ ଓ କେଟିଏଲ୍ କମ୍ପାନୀ ପକ୍ଷରୁ ଭିନ୍ନ ଭିନ୍ନ ଅଭିଯୋଗ କରାଯାଇଥିବା ବେଳେ ପୋଲିସ ଦୁର୍ବୃତ୍ତଙ୍କୁ ଖୋଜୁଥିବା ଜଣାପଡ଼ିଛି।