ଘଟଣା ଓ ଦୁର୍ଘଟଣା

ସ୍କୁଲ ଗେଟରୁ ଖସିଲା ଗ୍ରାନାଇଟ୍ ପଥର, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ ଓ ପରିଦର୍ଶନରେ ଥିବା ବିଡିଓ

By Angul TV Bureau

November 28, 2022

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ଗୋତମରା ଗ୍ରାମର ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ଫାଟକରୁ ଗ୍ରାନାଇଟ୍ ପଥର ଖସିଛି। ସୌଭାଗ୍ୟବଶତଃ ଛାତ୍ରଛାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି।

ସୂଚନା ମୁତାବକ, ସରକାରୀ ବିଦ୍ୟାଳୟଗୁଡ଼ିକରେ ଏବେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଆଧୁନିକରଣ କରାଯାଉଛି। କିନ୍ତୁ ବିଦ୍ୟାଳୟରେ ହେଉଥିବା କାର୍ଯ୍ୟ କେତେ ମଜଭୁତ ଓ ସ୍ଥାୟୀ ତାହାକୁ ନେଇ ପ୍ରଶ୍ନ ଉଠିଛି। ବଅଁରପାଳ ବ୍ଲକ ଗୋତମରାର ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ଅତ୍ୟାଧୁନିକରଣ କାର୍ଯ୍ୟ ଅତି ନିମ୍ନମାନର ବୋଲି ଜଣାପଡ଼ିଛି। ଏଠାରେ ବର୍ଷେ ନ ପୁରୁଣୁ ଫାଟକ ଭାଙ୍ଗିଛି। ବିଦ୍ୟାଳୟ ଫାଟକ ଗେଟରେ ଲାଗିଥିବା ଗ୍ରାନାଇଟ୍ ପଥର ଉପରୁ ତଳକୁ ଖସି ପଡ଼ିଥିଲା। ସେହି ସମୟରେ ଛାତ୍ରଛାତ୍ରୀ ନଥିଲେ। ଅନ୍ୟପଟେ ବଅଁରପାଳ ବ୍ଲକ ବିଡ଼ିଓ ଏଲିଜା ମିଶ୍ର ବିଦ୍ୟାଳୟକୁ ଯାଉଥିବା ବେଳେ ଏହା ଖସି ପଡ଼ିଥିଲା। କିନ୍ତୁ କାହାର କିଛି କ୍ଷତି ହୋଇନାହିଁ।

ଏନେଇ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ କୁସୁମାଞ୍ଜଳି ଜେନା କହିଛନ୍ତି, କେତେ ଖଣ୍ଡ ଗ୍ରାନାଇଟ୍ ପଥର ଉପରୁ ଖସିଛି। ପୂର୍ବରୁ ମଧ୍ୟ ପଥର ପଡ଼ିଥିଲା। କିନ୍ତୁ ଏଥିରେ କାହାର କିଛି କ୍ଷତି ହୋଇନାହିଁ ବୋଲି ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି।