ମୁଖ୍ୟ ଖବର

ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ରଙ୍କ ବିୟୋଗରେ ଶୋକର ଛାୟା, ଶୋକ ପ୍ରକାଶ କଲେ ଧର୍ମେନ୍ଦ୍ର ଓ ସାଂସଦ ରୁଦ୍ର ପାଣି

By Angul TV Bureau

November 03, 2026

ଅନୁଗୋଳ: ଦେଶର ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ତଥା ପଦ୍ମଶ୍ରୀ ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ବିୟୋଗରେ ସମଗ୍ର ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି। ସୋମବାର ରାତି ୯ଟା ୧୫ ମିନିଟ୍‌ରେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି।

ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଅସାଧାରଣ ପାରଦର୍ଶିତା ସହ ମାନବ ସେବା ପାଇଁ ତାଙ୍କର ନିଷ୍ଠା ଜଣେ ମହାନ ବ୍ୟକ୍ତିତ୍ୱ ଭାବେ ପରିଚିତ କରିଥିଲା। ବିଶେଷକରି ଭୁବନେଶ୍ୱର ଏମ୍ସର ପ୍ରଥମ ନିର୍ଦ୍ଦେଶକ ଭାବେ ଅନୁଷ୍ଠାନର ପ୍ରତିଷ୍ଠା ଓ ବିକାଶରେ ତାଙ୍କର ଅବଦାନ ଅବିସ୍ମରଣୀୟ ହୋଇ ରହିବ।

ତାଙ୍କ ବିୟୋଗରେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି। ଡାକ୍ତର ମହାପାତ୍ର ଦେଶ-ବିଦେଶରେ ଜଣେ ପ୍ରଖ୍ୟାତ ସ୍ନାୟୁଶଲ୍ୟ ବିଶେଷଜ୍ଞ ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଗରିବ ଲୋକଙ୍କ ପାଇଁ ତାଙ୍କର ଦୀର୍ଘଦିନର ଚିକିତ୍ସା ସେବା ଓ ଦିଲ୍ଲୀ ଏମ୍ସ ଏବଂ ଭୁବନେଶ୍ୱର ଏମ୍ସ ପ୍ରତି ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏଥିସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

ସେହିପରି ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ମଧ୍ୟ ତାଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି। ଡାକ୍ତର ମହାପାତ୍ରଙ୍କ ଅବର୍ତ୍ତମାନ ସ୍ୱାସ୍ଥ୍ୟସେବା କ୍ଷେତ୍ର ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସେ କହିବା ସହ ମହାପ୍ରଭୁଙ୍କ ନିକଟରେ ତାଙ୍କ ଆତ୍ମାର ସଦ୍‌ଗତି କାମନା କରିଛନ୍ତି।

ଏହାସହ ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି, ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ, ଦିଲେଶ୍ୱର ପ୍ରଧାନ, ପ୍ରତିମା ମିଶ୍ର, ପ୍ରାକ୍ତନ ମନ୍ତ୍ରୀ ସଞ୍ଜୀବ ସାହୁ, ପ୍ରାକ୍ତନ ବିଧାୟକ ରମେଶ ସାଏ ଓ ପର୍ଶୁରାମ ବାରିଜ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।