ମୁଖ୍ୟ ଖବର

ଅନୁଗୁଳରେ ପକ୍କା ରାସ୍ତା ପାଇଁ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ

By Angul TV Bureau

July 15, 2024

ବଇଣ୍ଡା: ଅନୁଗୁଳରେ ପକ୍କା ରାସ୍ତା ପାଇଁ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ। ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ସାନହୁଲା ଶିବ ମନ୍ଦିର ଠାରୁ ଭାୟା ଦାମୋଦରପୁର କିସାନସାହି ଦେଇ ଧଉରାଗୋଠ ସଂଯୋଗ କରୁଥିବା ମାଟି ରାସ୍ତାକୁ ପକ୍କା ରାସ୍ତାରେ ପରିଣତ କରିବା ପାଇଁ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ଜଣେ ଯୁବକ ଅଭିଯୋଗ କରିଛନ୍ତି।

ଆଜି ମନ୍ଦରବାହାଳ ଗ୍ରାମର ଯୁବକ ଦିଲେଶ୍ଵର ନାୟକ ଭୁବନେଶ୍ୱରରେ ଜନ ଶୁଣାଣିରେ ଭେଟି ଅଭିଯୋଗ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି। ତାଙ୍କ ଅଭିଯୋଗ ପତ୍ରରେ ସେ ଦର୍ଶାଇଛନ୍ତି ଯେ ଏହି ୩ କିମି ରାସ୍ତାରେ ସାନହୁଲା, କୁରୁମଟାପ, ପେଡିପଥର, ବିଲେଇନାଳୀ ଆଦି ପଞ୍ଚାୟତର ୨୦ ଟି ଗ୍ରାମର ଲୋକେ ଯାତାୟାତ ପାଇଁ ନିର୍ଭରଶୀଳ। ଏହା ମାଟି ରାସ୍ତା ହୋଇଥିବା ବେଳେ ମଝିରେ ଗୋଟିଏ ନାଳ ପଡ଼ୁଛି, ଫଳରେ ବର୍ଷା ଦିନେ ଏହି ରାସ୍ତାରେ ଯାତାୟାତ କରିବା ସମ୍ଭବ ହୁଏନି। ସାମାନ୍ୟ ବର୍ଷା ହେଲେ ରାସ୍ତା ସମ୍ପୂର୍ଣ୍ଣ କାଦୁଅପୂର୍ଣ୍ଣ ହେବା ସହ ନାଳରେ ୩ ଫୁଟ ଉଚ୍ଚର ପାଣି ଯାତାୟାତ କରୁଛି। ଫଳରେ ଯୋଗାଯୋଗ ବିଛିନ୍ନ ହେଇ ଯାଉଛି ଓ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଲୋକେ ୫ କିମି ବୁଲି କି ଯାତାୟାତ କରୁଛନ୍ତି l ଏହି ରାସ୍ତାକୁ ପକ୍କା କରିବା ସହ ଏକ ନାଳ ଉପରେ ପୋଲ ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଛନ୍ତି l ତେବେ ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି l