ମୁଖ୍ୟ ଖବର

ଶିକ୍ଷୟିତ୍ରୀଙ୍କ ବଦଳିକୁ ବିରୋଧ, ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ

By Angul TV Bureau

October 12, 2026

ଅନୁଗୋଳ: ଶିକ୍ଷକ ଅଭାବ ଆଶଙ୍କାରେ ଅନୁଗୋଳ ଜିଲ୍ଲା ଝାରବେଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ ଓ ଗ୍ରାମବାସୀ। ଜଣେ ଶିକ୍ଷୟିତ୍ରୀଙ୍କ ବଦଳିକୁ ବିରୋଧ କରି ସେମାନେ ସୋମବାର ସକାଳ ପ୍ରାୟ ୯ଟା ୩୦ରୁ ଅପରାହ୍ଣ ୧ଟା ୩୦ ପର୍ଯ୍ୟନ୍ତ ବିଦ୍ୟାଳୟ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ।

ସୂଚନା ଅନୁଯାୟୀ, ଏହି ବିଦ୍ୟାଳୟରେ ଶିଶୁବାଟିକାଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୪୧ ଜଣ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ୬ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଯୁକ୍ତ ଥିଲେ। ମାସକ ପୂର୍ବରୁ ଜଣେ ଶିକ୍ଷକ ପଦୋନ୍ନତି ପାଇ ପ୍ରଧାନଶିକ୍ଷକ ଭାବେ ଅନ୍ୟତ୍ର ବଦଳି ହୋଇଥିଲେ। ଏହାର କିଛି ଦିନ ମଧ୍ୟରେ ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ନାୟକଙ୍କର ମଧ୍ୟ ଲେଭଲ୍‌-୪ ପଦୋନ୍ନତି ହୋଇଥିବାରୁ ତାଙ୍କୁ ଅନ୍ୟତ୍ର ଅବସ୍ଥାପିତ କରାଯାଇଥିଲା। ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଅଭିଭାବକ ଓ ଗ୍ରାମବାସୀ।

ଚାରି ଦିନ ପୂର୍ବରୁ ବ୍ଲକ ଶିକ୍ଷାଧିକାରୀ ବିଦ୍ୟାଳୟ ପରିଦର୍ଶନରେ ଆସିଥିବା ବେଳେ ବିଜୟଲକ୍ଷ୍ମୀଙ୍କୁ ପୁନର୍ବାର ଏହି ବିଦ୍ୟାଳୟରେ ନିଯୁକ୍ତି ଦେବାକୁ ଦାବିପତ୍ର ଦିଆଯାଇଥିଲା। ଦାବି ପୂରଣ ନହେବାରୁ ସେମାନେ ସୋମବାର ବିଦ୍ୟାଳୟରେ ତାଲା ପକାଇ ଧାରଣା ଦେଇଥିଲେ।

ଖବର ପାଇ ବ୍ଲକ ଶିକ୍ଷାଧିକାରୀଙ୍କ ଅନୁପସ୍ଥିତିରେ ବିଆରସିସି ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ଆଗାମୀ ୭ ଦିନ ମଧ୍ୟରେ ବ୍ଲକ ଶିକ୍ଷାଧିକାରୀଙ୍କ ସହ ଆଲୋଚନା କରି ସମସ୍ୟାର ସ୍ଥାୟୀ ସମାଧାନ କରିବା ସହ ଏହି ସମୟ ମଧ୍ୟରେ ଶିକ୍ଷୟିତ୍ରୀଙ୍କୁ ବିଦ୍ୟାଳୟରୁ ରିଲିଭ୍‌ କରାଯିବ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଅଭିଭାବକ ଓ ଗ୍ରାମବାସୀ ଧାରଣାରୁ ହଟିଥିଲେ।

ଏହି ଧାରଣାରେ ପାଳଲହଡ଼ା ବ୍ଲକ ଅଧ୍ୟକ୍ଷା ରୀନାରାଣୀ ନାଏକ, ସରପଞ୍ଚ ଶିବାନୀ ନାୟକ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ନବକିଶୋର ନାଏକଙ୍କ ସମେତ ଗ୍ରାମବାସୀ ଓ ଅଭିଭାବକ ସାମିଲ ହୋଇଥିଲେ।