ମୁଖ୍ୟ ଖବର

ଗୁରୁ ଅନିତା ସିଂହଦେଓ ପ୍ରତିଭା ସମ୍ମାନ ଓ ଶିଶୁ ସନ୍ଧ୍ୟା

By Biswaranjan Pattnaik

November 16, 2026

ଅନୁଗୋଳ: ଅନୁଗୋଳର ଲୋକପ୍ରିୟ ଓଡ଼ିଶୀ ନୃତ୍ୟଗୁରୁ ଅନିତା ସିଂହଦେଓଙ୍କ ସମ୍ମାନାର୍ଥେ ରବିବାର ସ୍ଥାନୀୟ ସଭାଘରଠାରେ ନୃତ୍ୟନିଳୟ ପକ୍ଷରୁ ଏକ ଆକର୍ଷଣୀୟ ଶିଶୁ ସନ୍ଧ୍ୟା ଓ ସାଂସ୍କୃତିକ ଉତ୍ସବ ଆୟୋଜିତ ହୋଇଥିଲା।

ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବର ଶୁଭାରମ୍ଭ କରିଥିଲେ। ଏହି ମଞ୍ଚ ମାଧ୍ୟମରେ ସ୍ଥାନୀୟ ଶିଶୁ ପ୍ରତିଭାମାନେ ଲୋକଲୋଚନକୁ ଆସିବାର ସୁଯୋଗ ପାଇବେ ବୋଲି ସେ ମତବ୍ୟକ୍ତ କରିଥିଲେ।

ସମ୍ମାନିତ ଅତିଥି ଭାବେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ପଣ୍ଡିତ ମହେଶ ସାହୁ, ସ୍ୱେଚ୍ଛାସେବୀ ଦୁଃଖବନ୍ଧୁ ସାହୁ, ବିଜେପି ନେତା ଚନ୍ଦ୍ରକାନ୍ତ ଧଳ, ବରିଷ୍ଠ ଆଇନଜୀବୀ ଦିଲୀପ ଦାସ, ଉପଦେଷ୍ଟା ହେମନ୍ତ କୁମାର ଦାଶ ଏବଂ ନୃତ୍ୟନିଳୟର ସଭାପତି ଅନିତା ସିଂହଦେଓ ଯୋଗଦେଇଥିଲେ। ସମ୍ପାଦିକା ସ୍ୱପ୍ନାରାଣୀ ସିହ୍ନା ଅତିଥିମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।

ଏହି ଅବସରରେ ସକାଳେ ଅନୁଷ୍ଠିତ ପାରମ୍ପରିକ ଓ ଓଡ଼ିଶୀ ନୃତ୍ୟ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ବିଚାରକ ଶ୍ରୀନିବାସ ଘଟୱାରୀ ଓ ସ୍ୱୟଂପ୍ରଜ୍ଞା ସାହୁଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ନୃତ୍ୟନିଳୟର ଛାତ୍ରୀମାନେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଯଜ୍ଞ ରାୟ ମଞ୍ଚ ପରିଚାଳନା କରିଥିଲେ।