ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭିଡ଼ିଓ କନଫରେନସିଂ ମାଧ୍ୟମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ବିଜେପି ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସକୁ ବଢ଼ାଇବା ତଥା ଦଳର ସଙ୍ଗଠନକୁ ସଶକ୍ତ କରିବାକୁ ହେଲେ ଆମକୁ ବୁଥ ସମିତି ଗଠନ କରି ଏହାକୁ ‘ନରେନ୍ଦ୍ର ମୋଦି ମିତ୍ର ମଣ୍ଡଳି’ରେ ନାମିତ କରିବାକୁ ପଡ଼ିବ। ପ୍ରଧାନମନ୍ତ୍ରୀଙ୍କ କଥାକୁ ଘରେ ଘରେ ପହଁଚାଇବାକୁ ପଡ଼ିବ। ତେବେ ଯାଇ ଆମେ ଅନୁଗୁଳକୁ ପ୍ରଭାବଶାଳୀ ଜିଲ୍ଲା ଭାବରେ ଗଢ଼ିପାରିବା। ଏଥିସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ବୈଠକରେ କର୍ମକର୍ତ୍ତାମାନଙ୍କୁ ସେବା, ସଂଗଠନ, ସମ୍ପର୍କ ଓ ସଂଘର୍ଷ ଆଧାରରେ ଆଗକୁ ବଢ଼ିବା ସହ ଅକ୍ଳାନ୍ତ ପରିଶ୍ରମ କରି ବୁଥ ସ୍ତରରେ ଦଳର ସଂଗଠନକୁ ଆହୁରି ମଜବୁତ କରିବା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକୁ ଘରେ ଘରେ ପହଁଚାଇବା ପାଇଁ ପରାମର୍ଶ ଦେଇଛନ୍ତି। ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ ମିଶନରେ ଓଡ଼ିଶାକୁ ଏକବିଂଶ ଶତାବ୍ଦୀରେ ବିକଶିତ କରିବା ପାଇଁ ଦୁଇଗୁଣା ପରିଶ୍ରମ କରିବାକୁ ପଡିବ।