ଅନ୍ୟାନ୍ୟ

ଶ୍ରୀ ରାମକୃଷ୍ଣ ଶିଶୁ ଵିଦ୍ୟା ମନ୍ଦିର ପକ୍ଷରୁ ଜ୍ଞାନ-ବିଜ୍ଞାନ ମେଳା

By Angul TV Bureau

September 08, 2025

ଅନୁଗୁଳ: ସ୍ଥାନୀୟ ହାଟଛକ ସ୍ଥିତ ଶ୍ରୀ ରାମକୃଷ୍ଣ ଶିଶୁ ଵିଦ୍ୟା ମନ୍ଦିର ପକ୍ଷରୁ ଜ୍ଞାନ-ବିଜ୍ଞାନ ମେଳା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ଵିଦ୍ୟା ମନ୍ଦିରର କୁନି ବୈଜ୍ଞାନିକ ମାନେ ଜଳଚକ୍ର, ଆଲୋକଶ୍ଲେଷଣ ପ୍ରକ୍ରିୟା, ନୋ ବ୍ୟାଟେରୀଫ୍ୟାନ, ସୌର ଜଗତ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ, ଅଟୋମ୍ୟାଟିକ ଷ୍ଟ୍ରିଟଲାଇଟ, ସଜୀବ ଓ ନିର୍ଜୀବ, ବର୍ଜ୍ୟବସ୍ତୁରୁ ମାଛଚାଷ, ବର୍ଷା ଜଳ ସଂରକ୍ଷଣ ସୋଲାର ଇଲେକ୍ଟ୍ରିସିଟି, ୱାଟର ଆଲାରମ୍ ଆଦି ପ୍ରାୟ ୭୫ ରୁ ଉର୍ଦ୍ଧ୍ବ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ।

ଯାହାକି କୁନି ବୈଜ୍ଞାନିକ ମାନଙ୍କ ମଧ୍ୟରେ ବିଜ୍ଞାନ ସମ୍ବନ୍ଧୀୟ ଜ୍ଞାନ ଆହରଣ ପାଇଁ ଥିବା ଉତ୍ସାହ ପରିଲକ୍ଷିତ ହୋଇଥିଲା। ଏହି ଅବସରରେ ଵିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ପବିତ୍ର ଦେହୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ତଥା ବିଚାରକ ଭାବେ ଅନୁଗୁଳ ସ୍ଵୟଂ ଶାସିତ ମହାବିଦ୍ୟାଳୟର ବିଜ୍ଞାନ ଅଧ୍ୟାପକ ଡ. ରଞ୍ଜନ କୁମାର ଭୂୟାଁ ସମ୍ମାନୀତ ଅତିଥି ତଥା ବିଚାରକ ଭାବେ ବିଜ୍ଞାନ ଶିକ୍ଷକ ପ୍ରଶାନ୍ତ କୁମାର ପ୍ରଧାନ ଓ ବିଦ୍ୟା ମନ୍ଦିର ପରିଚାଳନା କମିଟି ସଭାପତି ସୁଶାନ୍ତ କୁମାର ସାହୁ ପ୍ରମୁଖ ଯୋଗ ଦେଇ କୁନି ବୈଜ୍ଞାନିକ ମାନଙ୍କୁ ଉତ୍ସାହିତ କରିବା ସହ ପ୍ରଦର୍ଶନ କରାଯାଇଥିବା ପ୍ରକଳ୍ପ ଗୁଡ଼ିକୁ ବୁଲି ଦେଖିଥିଲେ। ଶିଶୁ ମାନଙ୍କ ଭିତରେ ଥିବା ଅନ୍ତର୍ନିହିତ ବିଜ୍ଞାନ ପ୍ରତିଭାକୁ ଭୂୟସୀ ପ୍ରଶଂସା କରିବା ସହ ଆଜିର ଶିଶୁ ବୈଜ୍ଞାନିକ ଆସନ୍ତା କାଲିର ଭବିଷ୍ୟତ ବୈଜ୍ଞାନିକ ବୋଲି ତାଙ୍କ ବକ୍ତବ୍ୟରେ ମତ ପ୍ରକାଶ କରିଥିଲେ। ପରିଶେଷରେ ବିଜ୍ଞାନ ମେଳାରେ ଅଂଶ ଗ୍ରହଣ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ।

ଏହି  କାର୍ଯ୍ୟକ୍ରମକୁ ଵିଦ୍ୟା ମନ୍ଦିରର ଗୁରୁଜୀ ସିଦ୍ଧାର୍ଥ ଶେଖର ସାହୁ, ଗୁରୁମା ନିରୁପମା ଗଡନାୟକ, ବିନୋଦିନୀ ଦାସ, ବନ୍ଦନା ତ୍ରିପାଠୀ, ଋତୁପର୍ଣ୍ଣା ଧୀର, ଲିଲୀ ବେହେରା , କବିତା କର, ସଂଯୁକ୍ତା ଭୋଇ, ଲିପ୍ସା ରଥ, ଜ୍ୟୋସ୍ନାରାଣୀ ପ୍ରଧାନ, ଲିପ୍ସା ପ୍ରିୟଦର୍ଶିନୀ, ଲୋପାମୁଦ୍ରା ସାହୁ, ସ୍ଵର୍ଣ୍ଣଲତା କର, ମଞ୍ଜୁଲିକା ସାହୁଙ୍କ ସମେତ ସେବିକା ମଞ୍ଜୁ ଦେହୁରୀ, ପୁଷ୍ପ ଭୋଇ, ବାହନ ଚାଳକ କ୍ରିଷ୍ଣା ପଧାନ ପ୍ରମୁଖ ପରିଚାଳନା କରିଥିଲେ।