ମୁଖ୍ୟ ଖବର

ସାର ପାଇଁ ଅଧ କିଲୋମିଟର ଲମ୍ବା ଲାଇନ, ବନ୍ତଳା ଅଞ୍ଚଳରେ ଚାଷୀ ଅସନ୍ତୋଷ

By Angul TV Bureau

September 19, 2025

ଅନୁଗୁଳ: ସାର ପାଇଁ ମହାଭାରତ। ଆବଶ୍ୟକ ମାତ୍ରାରେ ସାର ଯୋଗାଇବାରେ ସରକାର ବିଫଳ। ସାର ଅଭାବ ଯୋଗୁଁ ଅନୁଗୁଳ ଜିଲ୍ଲା ଚାଷୀଙ୍କ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଶୁକ୍ରବାର ସାର ପାଇଁ ବନ୍ତଳା ଅଞ୍ଚଳରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଆଜି କେବଳ ଖାଲଗାଁ ସେବା ସମବାୟ ସମିତିକୁ ମାତ୍ର ୩୭୨ ବସ୍ତା ସାର ଆସିଥିଲା। ଏହି ସାର ସମୁଦ୍ରକୁ ଶଙ୍ଖେ ବୋଲି କହି ଚାଷୀମାନେ ହଟ୍ଟଗୋଳ କରିଥିଲେ।

ସାର ବିକ୍ରି ଖବର ପାଇ ସମିତି ଅଧୀନରେ ଥିବା ତଳଗଡ, ବାରଗୌଣିଆ, ଶଙ୍ଖପୁର ବନ୍ତଳା ଆଦି ପଞ୍ଚାୟତର ବିଭିନ୍ନ ଗାଁର ଲୋକ ଭୋର ୫ଟାରୁ ଆସି ପ୍ରାୟ ୫୦୦ମିଟର ଯାଏଁ ଆଧାର କାର୍ଡ ରଖି ଅପେକ୍ଷା କରିଥିଲେ। କିନ୍ତୁ ଠିକ ଭାବେ ସାର ଯୋଗାଣ ହେଉନଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା।ଖବର ପାଇ ବନ୍ତଳା ପୋଲିସ ପହଞ୍ଚି ଭିଡ଼ ନିୟନ୍ତ୍ରଣ କରିଥିଲା। ମାତ୍ର ୩୭୨ ବସ୍ତା ପାଇଁ ପାଖାପାଖି ୮୦୦ ରୁ ଊର୍ଦ୍ଧ୍ଵ ଚାଷୀ ଅପେକ୍ଷା କରିଥିଲେ। ଆବଶ୍ୟକ ମୁତାବକ ସାର ଯୋଗାଇ ଦେବାକୁ ଚାଷୀ କାହ୍ନୁଚରଣ ସାହୁ, ନକୁଳ ସାହୁ, ବରୁଣ ଦେହୁରୀ, ଭାରତ ସାହୁ, ଦେବେନ୍ଦ୍ର ମହାଳିକ, ଦଣ୍ଡିଆ ପ୍ରଧାନ, ପ୍ରସନ୍ନ ସାହୁ, ସରୋଜ ପ୍ରଧାନ ପ୍ରମୁଖ ଦାବି କରିଛନ୍ତି।

ତେବେ ଆବଶ୍ୟକୀୟ ସାର ୨ଦିନ ଭିତରେ ଚାଷୀ ମାନଙ୍କୁ ଯୋଗାଇ ଦିଆଯିବ ବୋଲି ସମବାୟ ସମିତି ସଂପାଦକ ଅଭିମନ୍ୟୁ ପ୍ରଧାନ କହିଛନ୍ତି।