ଘଟଣା ଓ ଦୁର୍ଘଟଣା

ଶ୍ୱଶୁର ଘରୁ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ସ୍ଵାମୀଙ୍କ ସହ ଝଗଡ଼ା ପରେ ଝୁଲିପଡ଼ିଥିବା ଅଭିଯୋଗ

By Angul TV Bureau

April 15, 2025

ଅନୁଗୁଳ: ଅନୁଗୁଳ ବନ୍ତଳା ଥାନା ଅନ୍ତର୍ଗତ ଜମୁଣ୍ଡା କୁଳିଆପଶି ଗ୍ରାମସ୍ଥିତ ଶାଶୂ ଘରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ମୃତ ମହିଳା ହେଲେ ରାଜସ୍ମିତା ଦେହୁରୀ(୨୧)।

ଗତ କିଛିମାସ ହେବ ରାଜସ୍ମିତା ଜମୁଣ୍ଡା ଗ୍ରାମର ପ୍ରତାପ ପ୍ରଧାନଙ୍କୁ ବିବାହ କରିଥିଲେ। ପାରିବାରିକ ସମସ୍ୟା ପାଇଁ ରାଜସ୍ମିତା କିଛିଦିନ ହେବ ମାନସିକ ଚାପରେ ରହୁଥିଲେ।ଆଜି ଘର ଭିତରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଏହି ଘଟଣାରେ ରାଜସ୍ମିତାଙ୍କ ବାପା  ଗୋଲେଖ ଦେହୁରୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଗତ ରାତିରେ ରାଜସ୍ମିତା ଓ ତାଙ୍କ ସ୍ୱାମୀ ପ୍ରତାପ ପ୍ରଧାନଙ୍କ ମଧ୍ୟରେ ବଚସା ହୋଇଥିବା ବେଳେ ରାଜସ୍ମିତା ଘରେ କବାଟ ଦେଇରହିଥିଲେ। ସ୍ୱାମୀ କବାଟ ଖୋଲିବା ପାଇଁ କହିବା ପରେ ମଧ୍ୟ ସେ ଖୋଲିନଥିଲେ। ସକାଳେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତ ଦେହ ମିଳିଥିଲା। ଖବର ପାଇ ବନ୍ତଳା ଥାନା ପୁଲିସ, ସାଇଣ୍ଟିଫିକ ଦଳ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ଜଣାପଡ଼ିଛି। ଏହି ଘଟଣାରେ ପୁଲିସ ଶ୍ୱଶୁର ଘର ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଛି।