ପ୍ରତିଭା ଓ ବ୍ୟକ୍ତିତ୍ୱ

ଏସିଏଫ୍ ପରୀକ୍ଷାରେ ହରମୋହନଙ୍କ ସଫଳତା

By Angul TV Bureau

September 20, 2021

ଅନୁଗୁଳ: ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନଙ୍କ ଦ୍ବାରା ପରିଚାଳିତ ବନ ବିଭାଗର ଏସିଏଫ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ଅନୁଗୁଳ ବ୍ଲକ୍ ବନ୍ତଳା ଅଞ୍ଚଳର ହରମୋହନ ରଥ। ଚୂଡ଼ାନ୍ତ ଚୟନ ତାଲିକାରେ ସେ ୧୦ ନମ୍ବର ବ୍ୟାଙ୍କ୍ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ହରମୋହନଙ୍କ ଘର ବନ୍ତଳା ଥାନା ଇଲାକା ଜରାଓରପୁର ଗ୍ରାମରେ। ତାଙ୍କ ବାପା ମଧୁସୂଦନ ରଥ ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଓ ମା’ ଉମାବତୀ ରଥ ଜଣେ ଗୃହିଣୀ। ହରମୋହନଙ୍କ ଏହି ସଫଳତା ବନ୍ତଳା ଅଞ୍ଚଳରେ ଖୁସି ଆଣି ଦେଇଛି। ହରମୋହନ ବନ୍ତଳା ହାଇସ୍କୁଲରୁ ଦଶମ ପାସ୍‌ କରିବା ପରେ ଚନ୍ଦ୍ରଶେଖର ମହାବିଦ୍ୟାଳୟ, ବନ୍ତଳାରେ ଯୁକ୍ତ ୨ ଉତ୍ତୀର୍ଣ୍ଣ ହୋଇଥିଲେ । ପରେ ଓୟୁଏଟିରେ ସ୍ନାତକ ପାସ୍‌ କରିବା ପରେ ଛତିଶଗଡ଼ର ଇନ୍ଦିରା ଗାନ୍ଧି କୃଷି ବିଶ୍ଵବିଦ୍ୟାଳୟରେ ପିଜି ଓ ପିଏଚ୍‌ଡି ଶେଷ କରିଥିଲେ। ଏହି ସଫଳତାର ସମସ୍ତ ଶ୍ରେୟ ସେ ତାଙ୍କ ପରିବାର ଲୋକଙ୍କୁ ଦେଇଛନ୍ତି। ବିଶେଷ କରି ସେ ଦଶ ବର୍ଷ ହେଲା ବାହାରେ ରହି ଭବିଷ୍ୟତ ଗଢ଼ୁଥିବା ବେଳେ ଘର ସମସ୍ତ ଦାୟିତ୍ଵ ବୁଝିଥିବା ତାଙ୍କ ସାନ ଭଉଣୀକୁ ଶ୍ରେୟ ଦେଇଛନ୍ତି। ଧୈର୍ଯ୍ୟ ରଖି କଠିନ ପରିଶ୍ରମ କଲେ ସଫଳତା ମିଳିବ। ତେଣୁ ଧୈର୍ଯ୍ୟହରା ନହୋଇ କଠିନ ପରିଶ୍ରମ କରିବାକୁ ସେ ଯୁବପିଢିଙ୍କୁ ପରାମର୍ଶ ଦେଇଛନ୍ତି।