Two young Indian elephants, Elaphas maximus, Kaziranga National Park, Assam, India. Kaziranga - Karbi Anglong Landscape

ମୁଖ୍ୟ ଖବର

ଅନୁଗୁଳରେ ହାତୀ ମଲେ ଇଂଲଣ୍ଡରେ ଉଦବେଗ !

By Biswaranjan Pattnaik

July 09, 2023

ଅନୁଗୁଳ: ହାତୀ ମଣିଷ ବିବାଦ ନୂଆ କଥା ନୁହେଁ। କେତେବେଳେ ହାତୀ ମଣିଷକୁ ମାରୁଚି ତ କେତେବେଳେ ମଣିଷ ହାତୀ ଶିକାର କରୁଛି। ତେବେ ଏଇ ହାତୀ ମୃତ୍ୟୁ ନେଇ ଇଂଲଣ୍ଡରେ ଉଦବେଗ ପ୍ରକାଶ ପାଇବା ଭଳି ଏକ ଘଟଣା ନିକଟରେ ଏକ ଜାତୀୟ ଗଣ ମାଧ୍ୟମରେ ପ୍ରକାଶିତ ହୋଇଚି। ଏହି ଖବର ଅନୁସାରେ ନିକଟରେ ୟୁକେ ସଂସଦର ଏମପି ମାନେ ଭାରତରେ ବିଶେଷକରି ଓଡ଼ିଶାରେ ହାତୀ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ଦର୍ଶାଯାଇଛି ଯେ, ଭାରତର ରାଷ୍ଟ୍ରପତି ମହାମହିମ ଦ୍ରୌପଦୀ ମୁର୍ମୁ ଏକଦା ହାତୀକୁ ଜାତୀୟ ଐତିହସମ୍ପନ୍ନ ପ୍ରାଣୀ ଭାବେ ଅଭିହିତ କରିଥିଲେ। ହେଲେ ଓଡ଼ିଶାର ହାତୀ ମୃତ୍ୟୁ ବୃଦ୍ଧି ପାଇବା ଦୁଃଖ ଦାୟକ। ରିପୋର୍ଟରେ କୁହାଯାଇଛି କି ଭାରତରେ ଗତ ଦଶ ବର୍ଷରେ ୧୨୦୦ ହାତୀ ମରିଥିବା ବେଳେ ଓଡ଼ିଶାରେ ଗତ ୩ ବର୍ଷରେ ୨୪୫ ହାତୀ ମରିଛନ୍ତି। ବିଶ୍ଵ ସଂଗଠନ ଆଇୟୁସିଏନ ଅନୁସାରେ ପୃଥିବୀରେ ୪୦ ହଜାର ଏସୀୟ ହାତୀ ରହିଛନ୍ତି ସେଥିରୁ ୨୭ ହଜାର ହାତୀ ଭାରତରେ ବଞ୍ଚିଛନ୍ତି। ରେଲୱେ ରାସ୍ତା ନିର୍ମାଣ,ଶିଳ୍ପ,ଖଣି ଖାଦାନ ଆଦି ଯୋଗୁଁ ୮୦ ପ୍ରତିଶତ ହାତୀଙ୍କ ବାସସ୍ଥାନ ବଦଲିଛି।ସେମାନଙ୍କ ଚଲାପଥ ନଷ୍ଟ ହେବା ଏବଂ ଜଙ୍ଗଲରେ ଖାଦ୍ୟ ଓ ପାଣିର ଅଭାବ ହେତୁ ସେମାନେ ଗାଁ ମୁହାଁ ହେଉଛନ୍ତି। ଏହା ଫଳରେ ହାତୀ ମଣିଷ ବିବାଦ ବୃଦ୍ଧି ପାଉଛି।ଏଠାରେ ସୂଚନା ଯୋଗ୍ୟ ଯେ,ନିକଟରେ ଅନୁଗୁଳ ଜରପଡା ଥାନା ପରା ଠାରେ ଟ୍ରେନ ଧକ୍କାରେ ଗୋଟିଏ ହାତୀର ମୃତ୍ୟୁ ଘଟିଥିବା ବେଳେ ଜୁନ ମାସରେ ଅନୁଗୁଳ ଫରେଷ୍ଟ ଡିଭିଜନର କଟରଙ୍ଗରେ ଗୋଟିଏ ଗୁଳିବିଦ୍ଧ ହାତୀର ମୃତ ଦେହ ଠାବ କରାଯାଇଥିଲା।ହାତୀ ଭଳି ବିଶାଳ ପ୍ରାଣୀ ବିଶ୍ଵ ଜଙ୍ଗଲ ପରିବେଶର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବିଶେଷ।ତେଣୁ ଅନୁଗୁଳ ହେଉ କି ଓଡ଼ିଶା ହାତୀ ସୁରକ୍ଷା ନେଇ କିଛି ଦୃଢ଼ ପଦକ୍ଷେପ ନେବାକୁ ସାଂସଦ ମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିବେଦନ କରିଛନ୍ତି।