ଭୁବନେଶ୍ୱର: ଆୟୁଷ୍ମାନ ଭାରତ ଯୋଜନାରେ ରୋଗୀଙ୍କୁ ମିଳୁଥିବା ସୁବିଧା ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ରୋଗୀ ହସ୍ପିଟାଲରେ ଆଡମିସନ୍ ହେବାର ୩ ଦିନ ପୂର୍ବରୁ କରାଯାଉଥିବା ସମସ୍ତ ଡାଇଗ୍ନୋଷ୍ଟିକ୍ ଟେଷ୍ଟ ଏବେ ଆୟୁଷ୍ମାନ ପ୍ୟାକେଜ୍ ଅନ୍ତର୍ଭୁକ୍ତ ହେବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଏଥିପାଇଁ ରୋଗୀଙ୍କୁ ଅତିରିକ୍ତ ଶୁଳ୍କ ଦେବାକୁ ପଡିବ ନାହିଁ।
କିଛି ଘରୋଇ ହସ୍ପିଟାଲ ଏହି ଟେଷ୍ଟଗୁଡ଼ିକୁ ପ୍ୟାକେଜରେ ଅନ୍ତର୍ଭୁକ୍ତ କରୁନଥିବା ନେଇ ଟିଭି ଓ ସୋସିଆଲ ମିଡିଆରେ ଅଭିଯୋଗ ଆସିଥିଲା। ଏହା ପରେ ସ୍ୱାସ୍ଥ୍ୟ ବିଭାଗ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି।
ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି, ନିର୍ଦେଶ ପାଳନ ନ କଲେ ସମ୍ପୃକ୍ତ ହସ୍ପିଟାଲ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପାଇଁ ସମସ୍ତ ଘରୋଇ ହସ୍ପିଟାଲକୁ କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହାର ଅନୁପାଳନ ଯାଞ୍ଚ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଏହି କମିଟି ବିଭିନ୍ନ ହସ୍ପିଟାଲ ପରିଦର୍ଶନ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ।