ମୁଖ୍ୟ ଖବର

ଅନୁଗୁଳରେ ଭୁଶୁଡ଼ିଗଲାଣି ସ୍ୱାସ୍ଥ୍ୟ ସେବା, ନର୍ସିଂହୋମ ଉପରେ ନିର୍ଭର କରି ସର୍ବସ୍ୱାନ୍ତ ହେଉଛନ୍ତି ଜନତା: ପ୍ରଶାସନ ନିଦାବିଷ୍ଣୁ

By Angul TV Bureau

September 28, 2025

ଅନୁଗୁଳ: ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାର ମେଡିକାଲରେ ବଢୁଛି ଦଲାଲଗିରି। ନର୍ସିଂହୋମ ମାଲିକମାନେ ଡାକ୍ତରଙ୍କୁ ହାତ କରି ହେଉଛନ୍ତି ମାଲାମାଲ। ସରକାରୀ ଡାକ୍ତରଖାନାରେ ସର୍ବନିମ୍ନ ସୁବିଧା ମିଳିପାରୁନି। ବାଧ୍ୟ ହୋଇ ଲୋକେ ବେସରକାରୀ ହସ୍ପିଟାଲ ଓ ନର୍ସିଂହୋମ ଉପରେ ନିର୍ଭର କରୁଛନ୍ତି। ଲୋକଙ୍କ ଦୁର୍ବଳତାର ସୁଯୋଗ ନେଇ ଦଲାଲମାନେ ଲୋକଙ୍କୁ ବେହିସାବ ଲୁଟୁଛନ୍ତି। ସମସ୍ତଙ୍କ ଜାଣନ୍ତରେ ଏହି ଶୋଷଣ ଚାଲୁଛି। ହେଲେ ପ୍ରଶାସନ ନିଦାବିଷ୍ଣୁ। ଲୋକଙ୍କ ସୁବିଧା ପ୍ରତି ସ୍ୱାସ୍ଥ୍ୟ ବିଭାଗ ଯେମିତି ଆଖି ବୁଜି ଦେଇଛି।

ଅନୁଗୁଳ ଜିଲ୍ଲାରେ ସ୍ୱାସ୍ଥ୍ୟସେବାରେ ଉନ୍ନତି ପାଇଁ ସରକାର ମେଡିକାଲ କଲେଜ ଖୋଲିଛନ୍ତି। ବିଭିନ୍ନ ବିଭାଗର ସ୍ପେଶାଲିଷ୍ଟ ଡାକ୍ତର ଏଠାକୁ ଆସୁଛନ୍ତି। ହେଲେ ସ୍ୱଳ୍ପ ସମୟ ପାଇଁ। ଯେନତେନ ପ୍ରକାରେଣ ଉପସ୍ଥାନ ପକାଇ ଦେଇ ଡାକ୍ତର ମାନେ ଛୁ ମାରୁଛନ୍ତି। ଆଉ ଡାକ୍ତରଙ୍କ ଏହି ଅବହେଳା ନର୍ସିଂହୋମଙ୍କ ପାଇଁ ବିଲେଇ କପାଳକୁସିକା ଛିଡ଼ିଲା ପରି ହେଉଛି। ଏହାର ଫାଇଦା ନେବା ପାଇଁ କିଛି ସ୍ୱାର୍ଥନ୍ୟସ୍ତ ବ୍ୟକ୍ତି ସୁଦୂର ଭୁବନେଶ୍ୱରୁ ନାମୀଦାମୀ ଡାକ୍ତର ମାନଙ୍କୁ ଡକାଇ ଏଠାରେ ବ୍ୟବସାୟ ଆରମ୍ଭ କରିଛନ୍ତି। ଦଲାଲ ମାନେ ରୋଗୀଙ୍କୁ ନର୍ସିଂହୋମ ଏବଂ ଡାକ୍ତରଙ୍କ ବଡ଼ ନାଁ କହି ଟାଣି ନେଉଛନ୍ତି। ଏହି ନର୍ସିଂହୋମକୁ ଯିବା ମାତ୍ରେ ସାଧାରଣ ଲୋକଟିଏ ହଜାର ହଜାର ଟଙ୍କା ଗଣୁଛି। ଡାକ୍ତର ଦେଖା ଫିସ ଠାରୁ ଟେଷ୍ଟିଂ ନେଇ ୫ ହଜାରରୁ କମ ଟଙ୍କାରେ କୌଣସି ଚିକିତ୍ସା ହେଉନାହିଁ।

ଆଉ ଯଦି ଅଧିକ ଚିକିତ୍ସା ଆବଶ୍ୟକ ତେବେ ଏହି ରୋଗୀ ମାନଙ୍କୁ ନର୍ସିଂହୋମ ମାଲିକ ମାନେ  ଭୁବନେଶ୍ୱର ପର୍ଯ୍ୟନ୍ତ ପଠାଇଦେଉଛନ୍ତି। ଫଳରେ ଗରିବ ଲୋକଟିଏ ସର୍ବସ୍ୱାନ୍ତ ହୋଇଯାଉଛି। ଏନେଇ ସ୍ୱାସ୍ଥ୍ୟ ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ଏଥିସହ ସରକାରୀ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ଲୋକେ ନିବେଦନ କରିଛନ୍ତି।