ଅନ୍ୟାନ୍ୟ

ପ୍ରଶାସନ କିଛି ନ କରିବାରୁ ପୁଣି ଛେଣ୍ଡିପଦା ରାଜ୍ୟ ରାଜପଥରେ ଭାରିଯାନ ଚଳାଚଳ ବନ୍ଦ କଲେ କୋଶଳା କ୍ରିୟାନୁଷ୍ଠାନ କମିଟି ଓ ଗ୍ରାମବାସୀ

By Sanjeeb Biswal

November 05, 2022

ଅନୁଗୁଳ: ପୁଣିଥରେ କୋଶଳା ଗ୍ରାମର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅନୁଗୁଳ-ଛେଣ୍ଡିପଦା ୬୩ ନମ୍ବର ରାଜ୍ୟ ରାଜପଥରେ ଭାରିଯାନ ଚଳାଚଳ ବନ୍ଦ କରାଯାଇଛି। ଏହି ରାଜପଥ ଦେଇ ପ୍ରତ୍ୟହ ବେଆଇନ ଭାବେ ତାଳଚେର କୋଇଲା ଖଣିରୁ ହଜାର ହଜାର କୋଇଲା ଭର୍ତ୍ତି ଟ୍ରକ ଯାତାୟାତ କରୁଥିବାରୁ ଜନଜୀବନ ପ୍ରଭାବିତ ହେବା ସହିତ ଦୁର୍ଘଟଣା ବଢ଼ୁଛି।

ଭାରିଯାନ ଚଳାଚଳକୁ ବନ୍ଦ କରିବା ପାଇଁ କୋଶଳା କ୍ରିୟାନୁଷ୍ଠାନ କମିଟି ଓ କୋଶଳା ଗ୍ରାମ୍ୟ କମିଟି ଅନେକ ଥର ପ୍ରଶାସନ, ପୋଲିସ,ଆଞ୍ଚଳିକ ପରିବହନ ଅଧିକାରୀ ଓ ତାଳଚେର କୋଇଲା ଖଣି କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇଛି। କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ। ଏଥିପାଇଁ ଉପଜିଲ୍ଲାପାଳ ବୈଠକ କରି ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ବି ଦେଇଥିଲେ। କିନ୍ତୁ କିଛି ଫଳ ମିଳିନାହିଁ।

ଏଣୁ ପ୍ରଶାସନ ନ ଶୁଣିବାରୁ ଆଜି ପୁଣି କମିଟି ପକ୍ଷରୁ ରାଜପଥରେ ଭାରି ଯାନ ଚଳାଚଳକୁ ବନ୍ଦ କରାଯାଇଛି। ଏ ନେଇ ସମସ୍ତ ପ୍ରଶାସନ ଅଧିକାରୀଙ୍କୁ ଲିଖିତ ଭାବେ ଅବଗତ କରାଯାଇଥିବା କମିଟି କହିଛି।