ମୁଖ୍ୟ ଖବର

ସାତକୋଶିଆ ଗଣ୍ଡ ଉପରେ ଉଡିଲା ହେଲିକପ୍ଟର: ହେଲିକପ୍ଟର ନେଇ ଆଜି ପର୍ଯ୍ୟନ୍ତ ସନ୍ଦିଆନ ବନବିଭାଗ

By Angul TV Bureau

August 27, 2025

ଅନୁଗୁଳ: ଅନୁଗୁଳ ଜିଲା ମହାନଦୀର ସାତକୋଶିଆ ଗଣ୍ଡ ଉପରେ ବୁଧବାର ଏକ ହେଲିକପ୍ଟର ଉଡୁଥିବା ଦେଖାଯାଇଥିଲା। ଅପରାହ୍ନ ସମୟରେ ଏହି ହେଲିକ୍ୟାପ୍ଟରଟି ଉଡାଣ କରିଥିବା ବେଳେ ହେଲିକପ୍ଟରଟି କାହାର ଏଯାବତ ସ୍ପଷ୍ଟ ହୋଇପାରିନାହିଁ। ସାତକୋଶିଆ ଗଣ୍ଡ ଉପରେ କମ ଉଚ୍ଚତାରେ କୌଣସି ବିମାନ ଉଡାଣ ପାଇଁ ନିଷିଦ୍ଧ କରାଯାଇଥିବା ବେଳେ ବାରମ୍ବାର ଗଣ୍ଡ ଉପର ଦେଇ କିଏ ଏହି ହେଲିକପ୍ଟର ଉଡାଉଛି ତାହା ସ୍ପଷ୍ଟ ହୋଇନାହିଁ।

ପୂର୍ବରୁ ପ୍ରାୟ ୪ଥର ଲଗାତର ଗଣ୍ଡ ଉପରେ ହେଲିକପ୍ଟର ଉଡିବା ଘଟଣାରେ ବନବିଭାଗ ଏୟାର ଟ୍ରାଫିକ କଣ୍ଟ୍ରୋଲକୁ ଚିଠି ଲେଖିଥିଲେ। ଏଥି ସହ ଭୁବନେଶ୍ୱର ଓ ଝାରସୁଗୁଡା ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ମଧ୍ୟ ଉକ୍ତ ବିମାନ ଉଡାଣ ସମ୍ପର୍କରେ ତଥ୍ୟ ଦେବାକୁ ଚିଠି ଲେଖିଥିଲେ। ଦୁଇ ବିମାନ ବନ୍ଦରରୁ ଏପରି କୌଣସି ବିମାନ ଉଡି ନଥିବା ତତ୍କାଳୀନ ସମୟରେ ଉତ୍ତର ଆସିଥିବା ବେଳେ ଉକ୍ତ ଘଟଣା ଚାପି ହୋଇ ରହିଗଲା।

ବର୍ତ୍ତମାନ ପୁଣି ଥରେ ଆଜି ଅପରାହ୍ନ ସମୟରେ ଗଣ୍ଡର ଉପରମୁଣ୍ଡରୁ ତଳମୁଣ୍ଡ ବାଲିପୁଟ ଆଡକୁ ହେଲିକପ୍ଟର ଉଡିଯାଉଥିବା ସ୍ଥାନୀୟ କିଛି ପର୍ଯ୍ୟଟକ ଦେଖିବାକୁ ପାଇଥିଲେ। ସେମାନେ ଏହାକୁ ନିଜ ମୋବାଇଲରେ କଏଦ କରିଥିବା ଜଣାପଡ଼ିଛି। ତେବେ ଏନେଇ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ କେଉଁ କାର୍ଯ୍ୟନୁଷ୍ଠାନ ନେଉଛି ତାହା ଦେଖିବାକୁ ରହିଲା। ପ୍ରକାଶ ଯେ ପୂର୍ବରୁ ଜଣେ ସାଂସଦ ସାତକୋଶିଆ ଗଣ୍ଡ ଉପରେ ହେଲିକପ୍ଟର ଉଡାଣ କରି ହରଡ଼ଘଣାରେ ପଡ଼ିଥିଲେ।