ମୁଖ୍ୟ ଖବର

ସାତକୋଶିଆରେ ହେଲିକପ୍ଟର ଉଡ଼ିବା ଘଟଣା : ସୂଚନା ଦେବା ବଦଳରେ ଓଲଟା ବନ ବିଭାଗକୁ ତଥ୍ୟ ମାଗିଲା ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷ

By Angul TV Bureau

February 22, 2025

ଅନୁଗୁଳ: ମହାନଦୀର ସାତକୋଶିଆ ଗଣ୍ଡ ଉପରେ ହେଲିକପ୍ଟର ଉଡିବା ଘଟଣାକୁ ସପ୍ତାହେ ବିତିଥିଲେ ବି ଏବେ ଯାଏଁ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଇତି ମଧ୍ୟରେ ସାତକୋଶିଆ ବନଖଣ୍ଡ ପକ୍ଷରୁ ଭୁବନେଶ୍ୱର ଓ ଝାରସୁଗୁଡା ଦୁଇ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଉଡାଣ ନେଇ ସବିଶେଷ ତଥ୍ୟ ପ୍ରଦାନ କରିବାକୁ ବନଖଣ୍ଡ ଅଧିକାରୀ ଚିଠି ଲେଖିଥିଲେ।

ଚିଠିର ଉତ୍ତରରେ ଝାରସୁଗୁଡା ବିମାନ ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି, ଏହି ଉଡାଣ ନେଇ ଆମ ପାଖରେ କୌଣସି ତଥ୍ୟ ନାହିଁ। ଆମ ପରିଧି ମଧ୍ୟରେ ସାତକୋଶିଆ ଅଞ୍ଚଳ ଯାଉନଥିବା କାରଣରୁ ଆମ ପାଖରେ ତଥ୍ୟ ନାହିଁ।ଅପରପକ୍ଷେ ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷ ଓଲଟା ବନବିଭାଗକୁ ତଥ୍ୟ ମାଗିଥିବା ଜଣାପଡିଛି। କେଉଁ ସମୟରେ ଉକ୍ତ ହେଲିକପ୍ଟରଟି ସାତକୋଶିଆ ଗଣ୍ଡ ଉପରେ ଉଡିଥିଲା, ତାର ସଠିକ ସମୟ ସହ ଅକ୍ଷାଂଶ ଓ ଦ୍ରାଘିମାର ମାପ ରେକର୍ଡ କରି ପଠାଇବାକୁ ଲେଖାଯାଇଛି।

ତେବେ ଚିଠି ପ୍ରଶ୍ନର ଉତ୍ତର ପ୍ରତିବଦଳରେ ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷ ବନବିଭାଗକୁ ପ୍ରଶ୍ନ ପଚାରିବାକୁ ପରିବେଶ ପ୍ରେମୀ ନିନ୍ଦା କରିଛନ୍ତି। ବେସାମରିକ ବିମାନ ଚଳାଚଳ ଉପରେ ଏୟାର ଟ୍ରାଫିକ କଣ୍ଟ୍ରୋଲର ନିୟନ୍ତ୍ରଣ ଥାଏ, କିନ୍ତୁ ଯଦି ସଂସ୍ଥା ଏଭଳି ବେପରୁଆ ପ୍ରଶ୍ନ କରିବ ତେବେ କାହାକୁ ସତ ପଚାରିବୁ ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି।