ମୁଖ୍ୟ ଖବର

ସାତକୋଶିଆ ଗଣ୍ଡରେ ହେଲିକପ୍ଟର ଉଡ଼ିବା ଘଟଣା: ଭୁବନେଶ୍ୱର ଓ ଝାରସୁଗୁଡ଼ା ବିମାନବନ୍ଦରକୁ ଚିଠି ଲେଖିଲେ ଡିଏଫ୍ଓ

By Angul TV Bureau

February 16, 2025

ଅନୁଗୁଳ: ଗୁରୁବାର ଅପରାହ୍ନରେ ମହାନଦୀର ସାତକୋଶିଆ ଗଣ୍ଡ ଉପରଦେଇ ଏକ ଧଳା ଧୁସରିଆ ରଙ୍ଗର ହେଲିକପ୍ଟର ଉଡ଼ିବା ଘଟଣାରେ ତନାଘନା ଆରମ୍ଭ ହୋଇଛି। ନିଷିଦ୍ଧାଞ୍ଚଳ ସତ୍ତ୍ୱେ କିଏ ଗଣ୍ଡ ଉପର ଦେଇ ଚପର ଉଡାଇଲା ସେ ନେଇ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ତଥା ସାତକୋଶିଆ ବ୍ୟାଘ୍ର ସଂରକ୍ଷିତ ଅଞ୍ଚଳର କ୍ଷେତ୍ର ନିର୍ଦ୍ଦେଶକ ସୁଧାଂଶୁ ଶେଖର ଖୋରାଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱର ଓ ଝାରସୁଗୁଡା ଦୁଇ ବିମାନ ବନ୍ଦର ଡାଇରେକ୍ଟରଙ୍କୁ ସାତକୋଶିଆ ବନଖଣ୍ଡ ଚିଠି ଲେଖିଛି।

ଚିଠିରେ ଲିଖିତ ଅଛି ଯେ ଯେଉଁ ହେଲିକପ୍ଟର ଗଣ୍ଡ ଉପରେ ଉଡ଼ୁଥିଲା ତାହା କୌଣସି ସରକାରୀ କିମ୍ବା ବେସରକାରୀ ସଂସ୍ଥାର ସେ ନେଇ ସୂଚନା ଦିଆଯାଉ। ଏହା କେଉଁ ବିମାନବନ୍ଦରରୁ ଅନୁମତି ପାଇ ଉଡ଼ାଣ କରିଥିଲା, ସାତକୋଶିଆ ଗଣ୍ଡ ଉପରେ କିଏ ଓ କିପରି ଏହାକୁ ଉଡିବାକୁ ଅନୁମତି ଦେଇଛି ସେ ନେଇ ସୂଚନା ଦିଆଯାଉ। ବିମାନଟି କେଉଁଠାରୁ କେଉଁଠିକୁ ଉଡ଼ିବାକୁ ଅନୁମତି ପାଇଥିଲା, କେତେ ଉଚ୍ଚତାରେ ଏହା ନିଜର ଉଡାଣ ଜାରି ରଖିଥିଲା। ଏନେଇ ତମାମ ପ୍ରଶ୍ନ ଚିଠିରେ ଲେଖା ଯାଇଥିବା ବେଳେ ସେ ନେଇ ଏବେ ତନାଘନା ଆରମ୍ଭ ହୋଇଛି।

ପ୍ରକାଶ ଯେ ରାମସାର ସାଇଟର ମାନ୍ୟତା ପାଇଥିବା ସାତକୋଶିଆ ଗଣ୍ଡରେ ବିଲୁପ୍ତପ୍ରାୟ ପ୍ରଜାତି ବସବାସ କରୁଥିବା ଯୋଗୁଁ ଏହାକୁ ପରିବେଶ ସମ୍ବେଦନଶୀଳ ଅଞ୍ଚଳ ବୋଲି ମଧ୍ୟ ଘୋଷଣା କରାଯାଇଛି। ଏହା ଉପରେ ନୋ ଫ୍ଲାଇଙ୍ଗ ଜୋନ ବା ଉଡ଼ାଣ ପାଇଁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି।