ପାଳଲହଡ଼ା: ସାଧାରଣ ଲୋକଙ୍କ ସୁବିଧା ପାଇଁ ସରକାର ଯୋଜନା ପରେ ଯୋଜନା କରିଚାଲିଛନ୍ତି। ପିଲା ଜନ୍ମ ଠାରୁ ମଶାଣିକୁ ଯିବା ପର୍ଯ୍ୟନ୍ତ ସରକାର ଗରିବ ଅସହାୟଙ୍କ ପାଇଁ ମାଳ ମାଳ ଯୋଜନା କରି ପ୍ରଶଂସା ସାଉଁଟୁଥିବା ବେଳେ ପ୍ରକୃତ ହିତାଧିକାରୀ କିନ୍ତୁ ଏହି ଯୋଜନାର ଲାଭ ଉଠାଇ ପାରୁନାହାନ୍ତି। ଏହାର ନଗ୍ନ ଉଦାହରଣ ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକ୍ ସଇଡ଼ା ପଞ୍ଚାୟତ ଦଙ୍ଗାଦର ଗାଁର ମରମ ସିଂ ଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ଆଜକୁ ବର୍ଷେ ହେଲାଣି ଅଜଣା ରୋଗରେ ପଡ଼ି ଘାଣ୍ଟି ହେଉଛନ୍ତି ମରମ।
ବୋଝ ଉପରେ ନଳିତା ବିଡ଼ା ଭଳି କିଛି ମାସ ପୂର୍ବରୁ ସ୍ତ୍ରୀ ଆରପାରିକୁ ଚାଲିଯାଇଥିବା ବେଳେ ଛଅ ଜଣ ଛୁଆଙ୍କୁ ନେଇ ସେ ବହୁ କଷ୍ଟରେ ଚଳୁଥିଲେ। କିନ୍ତୁ ଦିନକୁ ଦିନ ଶରୀର ଅତି ଅସୁସ୍ଥ ହେବାରୁ ସେ କୌଣସି କାମଧନ୍ଦା କରି ନପାରି ଶଯ୍ୟାଶାୟୀ ହୋଇପଡ଼ିଛନ୍ତି। ଏବେ କେବଳ ସରକାରଙ୍କ କିଛି ରାସନ୍ ଚାଉଳ ତାଙ୍କର ସାହାଭରସା। ସରକାର ଏତେ ଯୋଜନା କରୁଥିଲେ ବି ସେ କେଉଁଥିରେ ନ ଥିବା କହିଛନ୍ତି। ଫଳରେ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହୋଇଛନ୍ତି। ତେବେ ଏନେଇ ସ୍ଥାନୀୟ ସରପଞ୍ଚ ବି କୌଣସି ପଦକ୍ଷେପ ନେଇନଥିବା ଅଞ୍ଚଳବାସୀ କହିଛନ୍ତି। ତୁରନ୍ତ ମରମଙ୍କୁ ସହାୟତା ଯୋଗାଇଦିଆଗଲେ ସେ ସୁସ୍ଥ ହୋଇ ପରିବାର ମୁହଁରେ ଗଣ୍ଡେ ଦାନା ଦେଇପାରିବେ ବୋଲି ସ୍ଥାନୀୟ ଲୋକ ଦାବି କରିଛନ୍ତି। ଜନ ପ୍ରତିନିଧି ଦୃଷ୍ଟି ଦେବାକୁ ସେମାନେ ଅନୁରୋଧ କରିଛନ୍ତି।