ମୁଖ୍ୟ ଖବର

ବିରଳ ରୋଗରେ ପୀଡ଼ିତ ଅସହାୟ ସାରଥୀ: କଟକ ସ୍ଥାନାନ୍ତର ପାଇଁ ପରାମର୍ଶ

By Biswaranjan Pattnaik

September 08, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାନହୁଲା ପଞ୍ଚାୟତ ଅନ୍ତର୍ଗତ ମିଣ୍ଡୋଳ ଗାଁର ପୁରୁଷୋତ୍ତମ ନାୟକଙ୍କ ସତର ବର୍ଷର ପୁଅ ସାରଥୀ ନାୟକ ଏକ ବିରଳ ନାକ ରୋଗରେ ପୀଡିତ। ବାପା-ମା ମୁଲ ଲାଗି ପରିବାର ଚଳାନ୍ତି। ଗତ ଦୁଇ ବର୍ଷ ହେଲା ସାରଥୀଙ୍କ ନାକର ବାହାର ପଟେ ମାଂସ ବଢ଼ୁଛି। ଅର୍ଥର ଅଭାବ ଓ ଅବହେଳା କାରଣରୁ ପୁଅର ଚିକିତ୍ସା କରିନଥିଲେ ପରିବାର ଲୋକେ।

ଆଜି କିନ୍ତୁ ସାରଥୀକୁ ଧରି ପରିବାର ଲୋକେ ଅନୁଗୁଳ ଡାକ୍ତରଖାନା ଆଣିଥିଲେ। କର୍ଣ୍ଣ-ନାଶା ବିଭାଗର ବରିଷ୍ଠ ଡ଼ାକ୍ତର ପ୍ରସନ୍ନ କୁମାର ମହାନ୍ତି ଓ ଡ଼ା କମଳା କାନ୍ତ ଜେନା ରୋଗୀକୁ ପରୀକ୍ଷା କରିବା ପରେ ସେ ବିରଳ ରାଇନୋସ୍ପରିଡ଼ାଇଓସିସ ରୋଗରେ ପୀଡିତ ବୋଲି ମତ ଦେଇଥିଲେ। ଦୂଷିତ ପୋଖରୀ ଅର୍ଥାତ୍ ଯେଉଁ ପୋଖରୀରେ ଗାଈ ଗୋରୁ ଗାଧୁଅନ୍ତି ବା ସେମାନଙ୍କ ମଳ ମୂତ୍ର ମିଶିଥାଏ ସେଭଳି ପାଣିରେ ଥିବା ଏକ ସ୍ବତନ୍ତ୍ର ଅଣୁ ଜୀବଙ୍କ ଯୋଗୁଁ ଏହି ରୋଗ ହୋଇଥାଏ। ନିଃଶ୍ୱାସ-ପ୍ରଶ୍ୱାସ ବନ୍ଦ ହେବା ସହ ରୋଗୀର ଅବସ୍ଥା ସଂକଟାପନ୍ନ ହୋଇଥାଏ। ଡାକ୍ତର ସାରଥୀକୁ ଦେଖିବା ପରେ ତାର ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର ପରାମର୍ଶ ଦେଇଛନ୍ତି।