ମୁଖ୍ୟ ଖବର

ନାଲକୋକୁ କୋଇଲା ଯୋଗାଣ ପ୍ରସଙ୍ଗରେ ହାଇକୋର୍ଟଙ୍କ ବଡ଼ ରାୟ: ମନ୍ତ୍ରଣାଳୟର ନିଷ୍ପତ୍ତି ମାନିବାକୁ ନିର୍ଦ୍ଦେଶ

By Angul TV Bureau

May 13, 2022

ଅନୁଗୁଳ: ନାଲକୋକୁ କୋଇଲା ଯୋଗାଣ ପ୍ରସଙ୍ଗରେ ନାଲକୋ ଅଫିସର୍ସ ଆସୋସିଏସନ୍ ପକ୍ଷରୁ ଦାୟର ମାମଲାର ଶୁଣାଣି କରିଛନ୍ତି ହାଇକୋର୍ଟ। ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ୍ ଆର କେ ପଟ୍ଟନାୟକଙ୍କୁ ନେଇ ଗଠିତ ଏହି ଖଣ୍ଡପୀଠ ଗତ ଏପ୍ରିଲ ୨୬ ତାରିଖରେ ଖଣି ମନ୍ତ୍ରଣାଳୟ, ଶକ୍ତି ମନ୍ତ୍ରଣାଳୟ, କୋଇଲା ମନ୍ତ୍ରଣାଳୟ ସଚିବ ଓ ରେଳବାଇ ବୋର୍ଡ ଅଧ୍ୟକ୍ଷ, ଏମସିଏଲ ଏମଡିଙ୍କୁ ନେଇ ହୋଇଥିବା ମିଳିତ ବୈଠକର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ଆଉ କିଛି ନିର୍ଦ୍ଦେଶ ଦେବାକୁ ହାଇକୋର୍ଟ ମନା କରି ଦେଇଛନ୍ତି। ଯଦି ଭବିଷ୍ୟତରେ କିଛି ସମସ୍ୟା ହୁଏ ତେବେ ପକ୍ଷମାନେ ଉପଯୁକ୍ତ ଆଇନଗତ ପଦକ୍ଷେପ ନେଇ ପାରିବେ ବୋଲି ହାଇକୋର୍ଟ ନିଜ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ ଯେ ନାଲକୋକୁ କୋଇଲା ଯୋଗାଣ କମ୍ କରାଯିବା ଯୋଗୁଁ ପ୍ଲାଣ୍ଟ ବନ୍ଦ ହେବାର ସମ୍ଭାବନା ଦେଖା ଦେଇଛି। ଯଦି ନାଲକୋକୁ ପୂର୍ବ ଭଳି କୋଇଲା ଯୋଗାଣ ଜାରି ନ ରୁହେ ତେବେ ପ୍ଲାଣ୍ଟ ଚାଲିବ ନାହିଁ ଓ ଉତ୍ପାଦନ ବନ୍ଦ ହେବ। ଥରେ ପ୍ଲାଣ୍ଟ ବନ୍ଦ ହେଲେ ପୁଣି ଥରେ କାର୍ଯ୍ୟକ୍ଷମ ହେବାକୁ ୧୨ ମାସ ଲାଗିପାରେ। ଏଭଳି ପ୍ରସଙ୍ଗ ନେଇ ନାଲକୋ ଅଫିସରସ୍ ଆସୋସିଏସନ୍ ପକ୍ଷରୁ ହାଇକୋର୍ଟରେ ଏକ ମାମଲା ଦାୟର କରାଯାଇଥିଲା। ପର୍ଯ୍ୟାପ୍ତ କୋଇଲା ଯୋଗାଣ ନ ହେଲେ ଶିଳ୍ପ ବନ୍ଦ ହେବ। ଫଳରେ ଲକ୍ଷାଧିକ ଲୋକ ଜୀବିକା ହରାଇବେ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା।