ମୁଖ୍ୟ ଖବର

ଜାନୁଆରୀ ୧ ରେ ପ୍ରଥମ ବିଶାଳ ହିନ୍ଦୁରାଷ୍ଟ୍ର ମହାଅଧିବେଶନରେ ଯୋଗ ଦେବେ ଜଗତଗୁରୁ ଶଙ୍କରାଚାର୍ଯ୍ୟ

By Angul TV Bureau

December 26, 2024

ଅନୁଗୁଳ: ଆସନ୍ତା ଜାନୁଆରୀ ୧ ରେ ତାଳଚେର ଦେଉଳବେଡା ଦୁର୍ଗା ମଣ୍ଡପ ଠାରେ ପ୍ରଥମ ବିଶାଳ ହିନ୍ଦୁ ରାଷ୍ଟ୍ର ମହାଅଧିବେଶନ ଅନୁଷ୍ଠିତ ହେବ। ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ପୂଜ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାଭାଗ ଉକ୍ତ ଅଧିବେଶନରେ ଯୋଗଦେବେ। ଏ ନେଇ ସୂଚନା ଦେଇଛନ୍ତି ଆଦିତ୍ୟ ବାହିନୀର ରାଜ୍ୟ ଅଧ୍ୟକ୍ଷ ପଣ୍ଡିତ ମାତୃ ପ୍ରସାଦ ମିଶ୍ର।

ସେ କହିଛନ୍ତି, ଜଗତ ଗୁରୁଙ୍କ ତାଳଚେର ଆଗମନ ପାଇଁ ଚୂଡାନ୍ତ ପ୍ରସ୍ତୁତି ସରିଛି। ଆଜି ଗୋବର୍ଦ୍ଧନ ପୀଠ ପକ୍ଷରୁ ଜାରି କରାଯାଇଥିବା ବିସ୍ତୃତ ବିବରଣୀ ମୁତାବକ, ରାଇପୁରରୁ ଦୁର୍ଗ-ପୁରୀ ଟ୍ରେନ ଯୋଗେ କଡା ସୁରକ୍ଷା ବଳୟରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ତାଳଚେର ଷ୍ଟେସନରେ ସକାଳ ୪ ଟାରେ ପଦାର୍ପଣ କରିବେ, ସେଠାରେ ତାଙ୍କୁ ବିପୁଳ ସ୍ୱାଗତ କରାଯିବା ସହ ହାଣ୍ଡିଧୂଆ ନିବାସୀ ଡଃ ସଂଜୀବ ରାଉତଙ୍କ ନିବାସରେ ଅବସ୍ଥାନ କରିବେ। ଅପରାହ୍ନ ସାଢେ ଦୁଇଟାରେ ଘଣ୍ଟାପଡା ପଞ୍ଚାୟତର ବାଘମରା ଠାରେ ଶ୍ରୀଶଙ୍କରାଚାର୍ଯ୍ୟ ଗୋଶାଳାର ଲୋକାର୍ପଣ କରିବେ। ତା’ ପରେ ଦେଉଳବେଡା ଦୁର୍ଗା ମଣ୍ଡପ ପଡିଆରେ ବିଶାଳ ହିନ୍ଦୁରାଷ୍ଟ୍ର ମହାଧିବେଶନରେ ଯୋଗ ଦେବେ। ତା’ ପର ଦିନ ସକାଳେ ତାଳଚେରରୁ ଅନୁଗୁଳ ଷ୍ଟେସନରେ ପହଞ୍ଚି ପୁରୀ ଗୋବର୍ଦ୍ଧନ ପୀଠ ଅଭିମୁଖେ ଯାତ୍ରା କରିବେ।

ଆଜିର କାର୍ଯ୍ୟକ୍ରମରେ ସଂଯୋଜକ ପର୍ଶୁରାମ ବାରିକ, ଅନୁଗୁଳ ରାଜ୍ଯ ପୀଠ ପରିଷଦର ଉପାଧ୍ୟକ୍ଷ ପଣ୍ଡିତ ରୋହିତ୍ କୁମାର ଦାଶ, ଅନୁଗୁଳ ଜିଲ୍ଲା କ୍ଷେତ୍ରୀୟ ସମ୍ପାଦକ ବିଜୟ ତ୍ରିପାଠୀ, ସମିତିର କାର୍ଯ୍ୟକାରୀ ଅଧ୍ୟକ୍ଷ ବରୁଣ ସାହୁ, ସମ୍ପର୍କ ସଚିବ ତଥା କାର୍ଯ୍ୟକ୍ରମର ସହ ପ୍ରଭାରୀ ସୌରୀ ରଞ୍ଜନ ପଣ୍ଡା, ସ୍ଵାଗତ ସମିତିର ସମ୍ପାଦକ ବୃନ୍ଦାବନ ବେହେରା, ଆଦିତ୍ୟ ଜିଲ୍ଲା ସଭାପତି ଲଲିତ ମୋହିନ ଦାଶ, ଆନନ୍ଦ ବାହିନୀର ସ୍ମିତା ପଟ୍ଟନାୟକ ପ୍ରମୁଖଉପସ୍ଥିତ ଥିଲେ।