ଅନ୍ୟାନ୍ୟ

ଏଡସର ଭୟାବହତା ଓ ନିରାକରଣ ନେଇ ସଚେତନତା

By Angul TV Bureau

April 19, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ଉଚ୍ଚ ବିଦ୍ୟାଳୟର ଜୁନିୟର ରେଡକ୍ରସ୍ ବିଭାଗ ଆନୁକୂଲ୍ୟରେ ଆଜି ବିଦ୍ୟାଳୟ ପରିସରରେ ଏଡସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରଭା ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କିଶୋରନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଏଡସ କାଉନସିଲର ମନୋଜ କୁମାର ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଡସ ରୋଗର ଭୟାବହତା ଓ ତା’ର ନିରାକରଣ ଉପରେ ସଚେତନତା ସୃଷ୍ଟି କରିଥିଲେ। ଏଡସ ରୋଗର ମୁକାବିଲା ପାଇଁ ମିଳୁଥିବା ସରକାରୀ ସୁବିଧା ସୁଯୋଗ ଉପରେ ଅତିଥିମାନେ ଆଲୋଚନା କରିଥିଲେ।

ଶିକ୍ଷକ ସଂଗ୍ରାମ କେଶରୀ ପୃଷ୍ଟିଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଜୁନିୟର ରେଡକ୍ରସ୍ କାଉନସିଲର ଚିନ୍ମୟ କୁମାର ଧୁରୁଆ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶିକ୍ଷକ ଭୈରବ କୁମାର ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଶୁଭ୍ରଜ୍ୟୋତି ପ୍ରଧାନ, ସଞ୍ଚୟିତା ସାହୁ, ଲଭଲି ପ୍ରଧାନ, ଛତ୍ରପତି ସ୍ୱାଇଁ ଓ ଶାଶ୍ୱତ କୁମାର ପ୍ରଧାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ପରେ ଛାତ୍ରଛାତ୍ରୀଙ୍କୁ ଏଡସ ସଚେତନତା ସମ୍ବନ୍ଧୀୟ ଲିପଲେଟ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।