ମୁଖ୍ୟ ଖବର

ବିନା ସୂଚନାରେ ହୋଲ୍ଡିଂ ଟ୍ୟାକ୍ସ୍ ୧୦ ଗୁଣ ବଢ଼ାଯାଇଥିବା ଅଭିଯୋଗ, ମ୍ୟୁନିସିପାଲଟି ସହ ଆଲୋଚନା କଲା ତାଳଚେର ନାଗରିକ ମଞ୍ଚ

By Angul TV Bureau

November 29, 2022

ତାଳଚେର: ତାଳଚେର ମ୍ୟୁନିସିପାଲିଟି ପକ୍ଷରୁ ଆଦାୟ ହେଉଥିବା ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇଥିବାରୁ ଦୋକାନୀ ଏବେ ଚିନ୍ତାରେ। ଇତି ମଧ୍ୟରେ ୧୦ଗୁଣା ହୋଲ୍ଡିଂ ଟ୍ୟାକ୍ସ ବଢ଼ିଥିବା ନେଇ ଅଭିଯୋଗ ହୋଇଛି। ଟ୍ୟାକ୍ସ ଆଦାୟ କ୍ଷେତ୍ରରେ ତାଳଚେର ମ୍ୟୁନିସିପାଲିଟି ମ୍ୟୁନିସିପାଲ ଆକ୍ଟକୁ ଖିଲାପ କରୁଥିବା ନେଇ ଅଭିଯୋଗ ଆସିଛି। ଏହାକୁ ବିରୋଧ କରି ଆଜି ତାଳଚେର ନାଗରିକ ମଞ୍ଚ ପକ୍ଷରୁ ସାଧାରଣ ସମ୍ପାଦକ ଦେବରଞ୍ଜନ ସାମଲଙ୍କ ନେତୃତ୍ୱରେ ଏକ ୧୨ ଜଣିଆ ଟିମ୍ ତାଳଚେର ମ୍ୟୁନିସିପାଲିଟିର ନଗରପାଳ ଓ ନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

ସୂଚନାଯୋଗ୍ୟ ଯେ ପ୍ରାୟ ତିନିବର୍ଷ ହେଲା ତାଳଚେର ମ୍ୟୁନିସିପାଲିଟି ଅମଲାତନ୍ତ୍ରୀମାନଙ୍କ କବ୍‍ଜାରେ ରହିଥିବା ବେଳେ ସେମାନଙ୍କ ମନମୁଖୀ ଶାସନରେ ଅଞ୍ଚଳବାସୀ ଅତିଷ୍ଠ ହୋଇ ପଡ଼ିଥିଲେ। ଦୀର୍ଘବର୍ଷ ଧରି ତାଳଚେରରେ ହୋଲ୍ଡିଂ ଟିକସ ବଢ଼ାଯାଇ ନଥିବା ବେଳେ ଏଥର ନୂଆ ଫର୍ମୁଲାରେ ବର୍ଦ୍ଧିତ ଟିକସ ଲାଗୁ କରାଯାଇଛି। କରୋନା ମଧ୍ୟରେ ଏହା ଲୋକଙ୍କ ଉପରେ ପାହାଡ଼ ଲଦିହେବା ଭଳି ହୋଇଛି। ପୂର୍ବ ବର୍ଷମାନଙ୍କରେ ଯେଉଁମାନଙ୍କୁ ୭୦୦/୮୦୦ ଟଙ୍କାର ହୋଲ୍ଡିଂ ଟିକସ ଦେବାକୁ ପଡ଼ୁଥିଲା ସେମାନଙ୍କୁ ଏବେ ୮ହଜାରରୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଟିକସ ଦେବାକୁ କୁହାଯାଉଛି। ଏହା ବିନା ସୂଚନାରେ ହୋଇଥିବା ନେଇ ଲୋକେ ଅଭିଯୋଗ କରିଛନ୍ତି।

ଏହି ଆଲୋଚନାରେ ଉପସଭାପତି ରଞ୍ଜିତ କୁମାର ମହାପାତ୍ର, ସହ ସମ୍ପାଦକ ଦୁର୍ଗା ଚରଣ ସାହୁ, ତୁଷାରକାନ୍ତ ପ୍ରଧାନ, ବିଭୂତି ଭୁଷଣ ମହାନ୍ତି, ଉପଦେଷ୍ଟା କେଶବ ଭୁତିଆ, ରଶ୍ମିରଂଜନ ମିଶ୍ରଙ୍କ ସମେତ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।