ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ସଦର ମହକୁମାରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗସ୍ତ କରିଛି। କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଛି। ଆସନ୍ତା ଶିକ୍ଷାବର୍ଷରୁ ନାମଲେଖା ଆରମ୍ଭ ହେବ ବୋଲି ସୂଚନା ମିଳିଛି।
ଆଜି ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ପାଳଲହଡ଼ା ଉପଖଣ୍ଡରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ପାଳଲହଡ଼ା ଗସ୍ତରେ ଆସି ଭିତ୍ତିଭୂମି ପରିଦର୍ଶନ କରିଥିଲେ। ପାଳଲହଡ଼ାରେ କେନ୍ଦ୍ରୀୟ ବିଦ୍ୟାଳୟ ପାଳଲହଡା କାଇଁଶୀରିପାଲି ଠାରେ ଥିବା ସ୍କିଲ ଡେଭଲପମେଣ୍ଟ ସେଣ୍ଟର ଓ ହାଟପଦା ପରିଦର୍ଶନ କରିଥିବା ବେଳେ ମାଲ୍ୟଗିରି ମହାବିଦ୍ୟାଳୟ ଠାରେ ଅସ୍ଥାୟୀ ଭାବେ ବିଦ୍ୟାଳୟ ଆରମ୍ଭ ପାଇଁ ଭିତ୍ତିଭୂମି ପରଖିଥିଲେ। ଅନେକ ଦିନରୁ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଦାବି ହୋଇ ଆସୁଥିବା ବେଳେ ଏବେ ପାଳଲହଡ଼ାରେ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଆଶା ଉଜ୍ଜୀବିତ ହୋଇଛି ବୋଲି ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର କହିଥିଲେ।
ଏ ଅବସରରେ ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପଟେଲ, ତହସିଲଦାର ଆକାଂକ୍ଷା ମହାପାତ୍ର ପ୍ରମୁଖ କ୍ଷେତ୍ର ପରିଦର୍ଶନରେ ଉପସ୍ଥିତ ଥିଲେ।