ଘଟଣା ଓ ଦୁର୍ଘଟଣା

ଘର ସହ ଜଳିଗଲା ମାଟ୍ରିକ ଆଡମିଟ୍ କାର୍ଡ, ଜଣେ ଗୁରୁତର

By Sanjeeb Biswal

March 16, 2023

ଛେଣ୍ଡିପଦା: ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ପାତ୍ରପଡ଼ାରେ ବିଦ୍ୟୁତ ସର୍ଟସର୍କିଟ ହୋଇ ଘରେ ନିଆଁ ଲାଗିବା ସହ ପୋଡ଼ି ହୋଇ ଜଣେ ଗୁରୁତର ହୋଇଛନ୍ତି। ସୂଚନା ମୁତାବକ, ଗତ କାଲି ରାତିରେ ପାତ୍ରପଡ଼ା ଗ୍ରାମ ଗଡ଼ଭିତର ସାହିର ସଞ୍ଜୟ ଦେହୁରୀଙ୍କ ଘରେ ହଠାତ ନିଆଁ ଲାଗିଯାଇଥିଲା। ଏହା ଦେଖି ସଞ୍ଜୟ ଘରେ ଥିବା ଜିନିଷ ପତ୍ର ଘରୁ ବାହାରକୁ ଆଣୁଥିବା ବେଳେ ହଠାତ୍ ତାଙ୍କ ଦେହରେ ନିଆଁ ଲାଗିଯାଇଥିଲା। ଫଳରେ ତାଙ୍କ ମୁହଁ ଏବଂ ବାମ ହାତ ପୋଡ଼ି ଯାଇଛି। ପଡ଼ୋଶୀମାନେ ସଞ୍ଜୟଙ୍କୁ ଉଦ୍ଧାର କରି ଛେଣ୍ଡିପଦା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ଅପରପକ୍ଷେ ଚାଳରୁ ନିଆଁ ସାରା ଘରକୁ ବ୍ୟାପିବା ସହ ପାଖରେ ଥିବା ମଙ୍ଗୁଳୁ ଦାସଙ୍କ ଘର ଆଂଶିକ ଭାବେ ପୋଡ଼ି ଯାଇଛି। ଏହା ଦେଖି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିବା ସହିତ ଛେଣ୍ଡିପଦା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ସଂପୂର୍ଣ୍ଣ ଭାବେ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ସଞ୍ଜୟ ଦେହୁରୀଙ୍କ ୨ ବଖରା ଘର ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ସମସ୍ତ ଆସବାବ ପତ୍ର ସହ ଦଶମ ପରୀକ୍ଷା ଦେଉଥିବା ସଞ୍ଜୟଙ୍କ ଝିଅର ଆଡମିଟ କାର୍ଡ ମଧ୍ଯ ପୋଡ଼ିଯାଇଛି। ପୀଡ଼ିତ ପରିବାରକୁ ସହାୟତା ଯୋଗାଇ ଦେବାକୁ ପଡ଼ୋଶୀମାନେ ନିବେଦନ କରିଛନ୍ତି।