ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ରେଞ୍ଜ ଅନ୍ତର୍ଗତ କଳମଛୁଇଁ ଅଞ୍ଚଳରେ ବନ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ଚଢାଉ କରାଯାଇ ପ୍ରାୟ ୧୧.୪ ସିଏଫ୍ଟି ଚୋରା କାଠ ଜବତ କରାଯାଇଛି। ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଏହି ଅଭିଯାନ ଚଲାଇଥିଲେ।
ଗତ ୧୩ ତାରିଖ ଅପରାହ୍ନରେ ତାଳଚେର ରେଞ୍ଜ ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ କଳମଛୁଇଁ ଗ୍ରାମର ବାଉଁଶ ଗାଡ଼ିଆ ସାହିରେ ଚଢ଼ାଉ କରିଥିଲେ। ସେଠାରେ ଥିବା ଏକ ପରିତ୍ୟକ୍ତ ଘରୁ ବେଆଇନ ଭାବେ ଗଚ୍ଛିତ ରଖାଯାଇଥିବା କାଠ ସବୁକୁ ଠାବ କରାଯାଇଥିଲା।ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଜବତ ସାମଗ୍ରୀ ମଧ୍ୟରେ ୩୨ ଟି ଶାଗୁଆନ ପଟା, ୮ ଟି ଶାଗୁଆନ ଖୁଣ୍ଟି, ୧ ଟି ଅଧା ଗଢା ଶାଗୁଆନ ଖଟ, ୧୨ ଟି ଜାମୁ ପଟା ରହିଛି। ସମସ୍ତ ସାମଗ୍ରୀକୁ ଜବତ କରାଯାଇ ତାଳଚେର ରେଞ୍ଜ ଅଫିସକୁ ସ୍ଥାନାନ୍ତର କରାଯାଇଛି।
ଚଢ଼ାଉରେ ରେଞ୍ଜ ଅଫିସର ଚାରୁଲତା ନାୟକ, ଫରେଷ୍ଟର ଜଲି ଦେହୁରୀ ଓ ଅରୁଣ ଦେହୁରୀଙ୍କ ସମେତ ଫରେଷ୍ଟ ଗାର୍ଡ ଆଦିକନ୍ଦ ପ୍ରଧାନ, ସାଗରିକା ଦାଶ, ତ୍ରୈଲୋକ୍ୟ ରାଉତ ଏବଂ ବହୁ ସଂଖ୍ୟକ ‘ଗଜ ସାଥୀ’ ସାମିଲ ଥିଲେ।